ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ୧୦ହଜାର କିମି ନୂଆ ସଡ଼କ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ୭ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ହେଉଛି ସର୍ବନିମ୍ନ। ୨୦୧୮-୧୯ ପରଠାରୁ କୌଣସି ଗୋଟିଏ ବର୍ଷରେ ଏତେ କମ୍ ସଡ଼କ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇନଥିଲା। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ହାଇସ୍ପିଡ୍ କରିଡର୍‌ ଓ ଏକ୍ସପ୍ରେସ୍‌ୱେ ନିର୍ମାଣ ଉପରେ ଅଧିକ ଧ୍ୟାନ ଦେଉଛି। ସେହି ପ୍ରକଳ୍ପଗୁଡ଼ିକରେ ୫୮୦୦ କିମି ରାସ୍ତା ତିଆରି କରାଯାଉଛି।

Advertisment

୨୦୧୮-୧୯ ପରଠାରୁ ସଡ଼କ ନିର୍ମାଣରେ ସ୍ଥିରତା ନାହିଁ। କେଉଁ ବର୍ଷ କମ୍ ଓ ଅନ୍ୟ କୌଣସି ବର୍ଷ ଅଧିକ ସଡ଼କ ନିର୍ମାଣ କରାଯାଇଛି। ୨୦୧୯-୨୦ରେ ୧୦,୨୩୭ କିମି ରାଜପଥ ନିର୍ମାଣ କରାଯାଇଥିଲା। କିନ୍ତୁ କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ବର୍ଷ ୨୦୨୦-୨୧ରେ ରେକର୍ଡ ୧୩,୩୨୭ କିମି ସଡ଼କ ତିଆରି ହୋଇଥିଲା। ଲକ୍‌ଡାଉନ୍ ଘୋଷଣା ପରେ ସଡ଼କ ପଥଗୁଡ଼ିକ ଗାଡ଼ି ଚଳାଚଳ ପାଇଁ ବନ୍ଦ ରହିବାରୁ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ବଢ଼ିଥିଲା। ଗତ ଆର୍ଥିକ ବର୍ଷ‌ରେ ୧୨,୩୪୯ କିମି ସଡ଼କ ନିର୍ମାଣ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୦,୫୦୦ କିମି ସଡ଼କ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏବେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ପ୍ରକଳ୍ପଗୁଡ଼ିକ ସଂଖ୍ୟା ମଧ୍ୟ କମ୍ ରହିଛି। ୨୦୨୩-୨୪ରେ ସଡ଼କ ନିର୍ମାଣ ପାଇଁ ଦିଆଯାଇଥିବା ବରାଦ ମଧ୍ୟ ହ୍ରାସ ପାଇଛି। ସେଥିପାଇଁ ଆସନ୍ତା ଦୁଇ ବର୍ଷ ଅଧିକ ସଡ଼କ ତିଆରି ହେବାର ସମ୍ଭାବନା କମ୍ ହୋଇଛି। ଯେଉଁ ସଡ଼କ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ତାହାକୁ ମନେଟାଇଜ୍ କରି ସରକାର ୩୦ହଜାର କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ସଡ଼କ କ୍ଷେତ୍ରକୁ ୩୫ହଜାର କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ଆଣିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ସଡ଼କ ଦୁର୍ଘଟଣାରେ ଆହତମାନଙ୍କ କ୍ୟାସ୍‌ଲେସ୍‌ ଚିକିତ୍ସା ପାଇଁ ସରକାର ୧୨୮ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।ରାଜପଥଗୁଡ଼ିକରେ ଥିବା ୧୦୦୦ ବ୍ଲାକ୍ ସ୍ପଟ୍‌ ସମସ୍ୟାର ସମାଧାନ କରିବା ଏବଂ ୪୦ହଜାର କିମି ସଡ଼କର ସୁରକ୍ଷା ଅଡିଟ୍ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ଜରିଆରେ ସଡ଼କକୁ ଅଧିକ ସୁରକ୍ଷିତ କରିବାକୁ ସରକାର ଚାହୁଛନ୍ତି।