ଭୁବନେଶ୍ବର: ପାରାଦୀପରେ ଭିତ୍ତିଭୂମି ଓ ଗ୍ରିନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ୧.୦୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ମୁମ୍ବାଇଠାରେ ଆୟୋଜିତ ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ର ଦ୍ବିତୀୟ ଦିବସରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତରଫରୁ ଏନେଇ ବିଭିନ୍ନ ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ‘ପୋର୍ଟ ଆଜ୍ ଇଞ୍ଜିନ ଅଫ୍ ଟ୍ରାନ୍ସଫର୍ମେସନ’ ଅଧିବେଶନରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ବାକ୍ଷର ହୋଇଥିଲା। ସେଥିରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ଅତିଥି ଭାବେ ଯୋଗଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ସ୍ଥାପନ କରିବାରେ ଏସିଏମ୍‌ଇ ୪୫,୦୦୦ କୋଟି ଟଙ୍କା, ଏଚ୍‌ଆଇଏଫ୍‌ ୩୫,୫୦୦ କୋଟି ଟଙ୍କା, ସେମ୍ବକର୍ପ ୧୩,୦୦୦ କୋଟି ଟଙ୍କା, ଓସିଓର୍‌ ୪୭୦୦ କୋଟି ଟଙ୍କା ଓ ଆଭାଡା ପକ୍ଷରୁ ୩୦୦୦ କୋଟି ଟଙ୍କା ନିବେଶ କରିବ।

Advertisment

ଭିତ୍ତିଭୂମି ପ୍ରକଳ୍ପରେ ହୁଡ୍‌କୋ ୫୧୦୦ କୋଟି ଟଙ୍କା ନିବେଶ କରିବ। ଏହି ସମସ୍ତ ସଂସ୍ଥା ସହ ପାରାଦୀପ ବନ୍ଦର ପକ୍ଷରୁ ଏମ୍‌ଓୟୁ କରାଯାଇଛି। ପାରାଦୀପରେ ଓଏସ୍‌ଏଲ୍‌ ପକ୍ଷରୁ ୨୦୦ କୋଟି ଟଙ୍କାରେ ମଲ୍ଟିପ୍ଲେକ୍ସ ସ୍ଥାପନ କରାଯିବ। ସେଥିପାଇଁ ମଧ୍ୟ ବୁଝାମଣା ସ୍ବାକ୍ଷର ହୋଇଥିବା ସୂଚନା ମିଳିଛି। ବୁଝାମଣାପତ୍ର ସ୍ବାକ୍ଷର ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ୍‌ ହରନାଦ ଓ ବିଭିନ୍ନ କମ୍ପାନିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

ଗତକାଲି ଏହି ସମ୍ମିଳନୀରେ ପାରାଦୀପ ବନ୍ଦର ପକ୍ଷରୁ ୫୦ ହଜାର କୋଟି ଟଙ୍କାର ଏମ୍‌ଓୟୁ ସ୍ବାକ୍ଷର କରାଯାଇଥିଲା। ପୁରୀରେ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍, ବାହୁଦା ବନ୍ଦର ରେଳ ସଂଯୋଗ, ମାରିଟାଇମ୍ ମ୍ୟୁଜିୟମ ଓ ଲଜିଷ୍ଟିକ୍ସ ପାର୍କ, ପଣ୍ୟ ରପ୍ତାନି/ଆମଦାନୀ ଓ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ପାଇଁ ଯଥାକ୍ରମେ ଓଡ଼ିଶା ମାରିଟାଇମ୍ ବୋର୍ଡ, ଆଇପିଆର୍‌ସିଏଲ୍‌, ଇଫ୍‌କୋ ଓ ଏନ୍‌ଟିପିସି ସହ ବୁଝାମଣା ହୋଇଥିଲା।