ବେଙ୍ଗାଲୁରୁ: ପ୍ରଯୁକ୍ତି ଦୁନିଆରେ ଛଟେଇର ଯେଉଁ ଧାରା ଗତବର୍ଷ ଆରମ୍ଭ ହୋଇଥିଲା ତାହା ଚଳିତ ବର୍ଷ ଜାରି ରହିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ୨୦୨୨ ବର୍ଷସାରାରେ ଯେତିକି ଛଟେଇ ହୋଇଥିଲା, ୨୦୨୩ର ଅଧା ବର୍ଷରେ ତା’ଠାରୁ ଅଧିକ ଛଟେଇ ହୋଇସାରିଲାଣି। ୨୦୨୩ର ଜାନୁଆରିରୁ ଜୁନ୍ ମଧ୍ୟରେ ପ୍ରଯୁକ୍ତି ଜଗତରେ କାମ କରୁଥିବା ୧୦,୭୭୪ ଜଣ ଚାକିରି ହରାଇଛନ୍ତି। ୨୦୨୨ରେ ସେହି ସମୟରେ ଛଟେଇ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ୬,୫୩୦ ଥିଲା।

Advertisment

ଲେଅଫ୍‌ସ ଡଟ୍‌ ଏଫ୍‌ୱାଇଆଇ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ, ୨୦୨୦ରେ କରୋନା ମହାମାରୀ ବ୍ୟାପିବାରୁ ପ୍ରଯୁକ୍ତି କ୍ଷେତ୍ରାର କାମ କରୁଥିବା ୧୨,୯୩୨ କର୍ମଚାରୀ ଚାକିରି ହରାଇଥିଲେ। ୨୦୨୧ରେ ଛଟେଇ ସଂଖ୍ୟା ୪୦୮୦କୁ ଖସିଆସିଥିଲା। ୨୦୨୨ରୁ ପୁଣି ଛଟେଇ ଧାରା ଆରମ୍ଭ ହୋଇଥିଲା ଯାହା ଏବେବି ଅବ୍ୟାହତ ରହିଛି। ୨୦୨୩ର ପ୍ରଥମ ଛଅ ମାସରେ ସାରା ବିଶ୍ବରେ ପ୍ରଯୁକ୍ତି ଜଗତର ୨,୧୩,୦୨୦ ଜଣ କର୍ମଚାରୀ ଚାକିରି ହରାଇଛନ୍ତି। ୨୦୨୨ରେ ସେହି ସମୟରେ ୪୫,୧୬୬ ଜଣ ଛଟେଇର ଶିକାର ହୋଇଥିଲେ। ଚଳିତ ବର୍ଷ କେବଳ ଆମେରିକାର ପ୍ରଯୁକ୍ତି ଶିଳ୍ପରେ ୧,୪୮,୪୯୧ ଜଣ ଛଟେଇ ହୋଇଛନ୍ତି। ପ୍ରତି ୧୦ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ ଛଟେଇ ହୋଇଛନ୍ତି। ବିଶ୍ବ ସ୍ତରରେ ୨୦୨୨ ତୁଳନାରେ ୨୦୨୩ରେ ଛଟେଇ ପରିମାଣ ୩୭୨ ପ୍ରତିଶତ ବୃଦ୍ଧି ପାଇଛି। ଭାରତରେ ଏହି ସମୟରେ ଛଟେଇରେ ୬୫ ପ୍ରତିଶତ ବୃଦ୍ଧି ଘଟିଛି। ବେଙ୍ଗାଲୁରୁରେ ସର୍ବାଧିକ ୬,୯୬୭ ଜଣ ପ୍ରଯୁକ୍ତି କର୍ମଚାରୀ ଚାକିରି ହରାଇଛନ୍ତି। ମୁମ୍ବାଇରେ ୧୪୧୦, ଗୁରୁଗ୍ରାମରେ ୧୧୦୫, ନୂଆଦିଲ୍ଲୀରେ ୪୮୭ ଓ ଚେନ୍ନାଇରେ ୪୦୦ ଜଣ ଚାକିରି ହରାଇଛନ୍ତି। ଏଡ୍‌ଟେକ୍‌ ସଂସ୍ଥା କାମ କରୁଥିବା କର୍ମଚାରୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏହି କ୍ଷେତ୍ରରେ ୩୬୧୦ ଛଟେଇ ହୋଇଛି। ସେହିପରି ଖାଦ୍ୟ କ୍ଷେତ୍ରରେ ୧୯୧୫, ରିଟେଲ୍‌ରେ ୧୨୭୨, ସ୍ବାସ୍ଥ୍ୟ ସେବାରେ ୮୯୧, ଉପଭୋକ୍ତାରେ ୭୧୮, ଫାଇନାନ୍ସରେ ୬୦୧ ଓ ଅନ୍ୟାନ୍ୟ କ୍ଷେତ୍ରରେ ୧୭୬୭ ଛଟେଇ ହୋଇଛି। ଷ୍ଟାର୍ଟଅପ୍ ସଂସ୍ଥାଙ୍କୁ ମିଳୁଥିବା ପାଣ୍ଠିରେ ମଧ୍ୟ ୭୨% ହ୍ରାସ ଘଟିଛି।