ଦଶମ ସିଜିଡି ବିଡିଂ ରାଉଣ୍ଡ୍‌ କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଦେଶରେ ସ୍ବଚ୍ଛ ଇନ୍ଧନର ଭିତ୍ତିଭୂମିରେ ଦ୍ରୁତ ପରିବର୍ତ୍ତନ ଆସିଛି। ସୋମବାର ଏଠାରେ ୧୦ମ ସିଟି ଗ୍ୟାସ୍ ବିତରଣ (ସିଜିଡି) ବିଡିଂ ରାଉଣ୍ଡ୍ କାର୍ଯ୍ୟ ଆରମ୍ଭ ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଦେଶରେ ସ୍ବଚ୍ଛ ଇନ୍ଧନ ବ୍ୟବହାରକୁ ତ୍ବରାନ୍ବିତ କରିବା ଦିଗରେ ମୋଦୀ ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ। ମୋଦୀ ସରକାରଙ୍କ ପ୍ରଥମ ବର୍ଷ ଅର୍ଥାତ୍ ୨୦୧୪ରୁ ସିଜିଡି ନେଟୱାର୍କର ସମ୍ପ୍ରସାରଣ ସାରା ଦେଶରେ ୩୪ଟି ଭୌଗୋଳିକ ଅଞ୍ଚଳରୁ ୨୮୮ଟି ଭୌଗୋଳିକ ଅଞ୍ଚଳ ପର୍ଯ୍ୟନ୍ତ କରାଯାଇଛି। ଏହା ଦେଶର ମୋଟ ଭୌଗୋଳିକ ଅଞ୍ଚଳର ୫୦ ପ୍ରତିଶତ ଏବଂ ଦେଶ ଜନସଂଖ୍ୟାର ୭୦ ପ୍ରତିଶତରେ ପହଞ୍ଚିଛି। ସେହିଭଳି ମୋଦୀ ସରକାରଙ୍କ ଆରମ୍ଭରୁ ଦେଶରେ ଘରୋଇ ପିଏନ୍‌ଜି ସଂଯୋଗ ସଂଖ୍ୟା ୨୫.୪ ଲକ୍ଷ ଉପଭୋକ୍ତାରୁ ବୃଦ୍ଧି ପାଇ ୫୦.୪୩ ଲକ୍ଷରେ ପହଞ୍ଚିଛି । ଏହା ପରିବେଶ ସୁରକ୍ଷାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଯୁବବର୍ଗଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରୁଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର