କିଟ୍‌ରେ ୧୦ମ ଫାଇନାନ୍ସ ସମ୍ମିଳନୀ : ଅର୍ଥନୀତି ପାଇଁ ସଂସ୍କାର ଜରୁରି

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଭାରତୀୟ ଅର୍ଥନୀତି ଜଟିଳ ସମୟ ଦେଇ ଗତି କରୁଛି। ଏଭଳି ସମୟରେ ଏକ ଦୃଢ଼ ଅର୍ଥନୀତି ପାଇଁ ଦୀର୍ଘମିଆଦୀ ଆର୍ଥିକ ସଂସ୍କାର ଜରୁରି ବୋଲି ଆଜି କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ୧୦ମ ଜାତୀୟ ଫାଇନାନ୍ସ କନ୍‍କ୍ଲେଭରେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କନ୍‌କ୍ଲେଭର ବିଷୟବସ୍ତୁ ଥିଲା, ‘ଗେଟିଂ ଟୁ ୫ ଟ୍ରିଲିଅନ୍‍ ଡଲାର: ନେଭିଗେଟିଂ ଦି ଫାଇନାନ୍‍ସିଆଲ୍‍ ଲାଣ୍ଡସ୍କେପ୍‍’। କିଟ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଦେଶର ଆର୍ଥିକ ଚିତ୍ର ଉପରେ ସମ୍ୟକ ଆଲୋଚନା କରିଥିଲେ। କିଟ୍‍ ସ୍କୁଲ୍‌ ଅଫ୍‍ ମ୍ୟାନେଜମେଣ୍ଟର ଡିନ୍‍ ପ୍ରଫେସର ସତ୍ୟନାରାୟଣ ମିଶ୍ର ସାମ୍ପ୍ରତିକ ପରିସ୍ଥିତିରେ ଏଭଳି ବିଷୟବସ୍ତୁ ଉପରେ ଆଲୋଚନା ଯଥେଷ୍ଟ ଗୁରୁତ୍ୱ ରଖୁଛି ବୋଲି କହିଥିଲେ। ବର୍ତ୍ତମାନ ରାଜନୈତିକ ଉତ୍ସାହ ସହ ଦକ୍ଷତାର ଏକ ମିଳନ ଘଟିଛି ବୋଲି ସେ କହିଥିଲେ । ଏନ୍‍ସିଇଏଆର୍‍ ଫେଲୋ ତଥା ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ପବ୍ଲିକ୍‍ ଫାଇନାନ୍ସ ଆଣ୍ଡ ପଲିସିର ଏମିରେଟସ୍‍ ପ୍ରଫେସର ସୁଦୀପ୍ତ ମୁଣ୍ଡଲେ କହିଥିଲେ, ଭାରତରେ ପୂର୍ବ ଅର୍ଥନୈତିକ ଅଭିବୃଦ୍ଧିକୁ ଫେରାଇ ଆଣିବାକୁ ହେଲେ ଏକ ସମ୍ମିଳିତ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ପ୍ରଥମ ପ୍ୟାନେଲ୍‍ ଆଲୋଚନାରେ ବାରକ୍ଲେଜ୍ ଇନଭେଷ୍ଟମେଣ୍ଟ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ରାହୁଳ ବାଜୋରିଆ, ଏକ୍ସିସ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ସୌଗତ ଭଟ୍ଟାଚାର୍ଯ୍ୟ, ଆଇସିଆଇସିଆଇ ସିକ୍ୟୁରିଟିଜ୍‍ର ଇଭିପି ତଥା ସିଆଇଓ ପୀୟୂଷ ଗର୍ଗ, ଇଣ୍ଡସ୍‍ ଇଣ୍ଡ୍ ବ୍ୟାଙ୍କର ପ୍ରମୋଦ କାସତ ପ୍ରମୁଖ ଯୋଗଦେଇ ଆର୍ଥିକ ମାନ୍ଦାବସ୍ଥା ସମୟରେ ଆର୍ଥିକ ଅଭିବୃଦ୍ଧି ପାଇଁ ଏକ ଦୀର୍ଘମିଆଦୀ ଆର୍ଥିକ ସଂସ୍କାର ଉପରେ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର