ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟ ପ୍ରତିଷ୍ଠାର ଦଶ ବର୍ଷ ପୂର୍ତି ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ କହିଛନ୍ତି ଯେ ତେଲେଙ୍ଗାନା ହେଉଛି ଏକମାତ୍ର ରାଜ୍ୟ ଯାହା ମିସନ ଭାଗିରଥ ମାଧ୍ୟମରେ ୧୦୦ ପ୍ରତିଶତ ଘରକୁ ଟ୍ୟାପ୍ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଉଛି। ରାଜ୍ୟ ଗଠନ ବେଳେ ସେ ଲୋକମାନଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। ଖାଦ୍ୟଶସ୍ୟ ଉତ୍ପାଦନରେ ମଧ୍ୟ ତେଲେଙ୍ଗାନା ଅନ୍ୟ ରାଜ୍ୟଗୁଡ଼ିକ ସହ ପ୍ରତିଦ୍ବନ୍ଦ୍ବିତା କରୁଥିବା ସେ କହିଛନ୍ତି।

Advertisment

ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ସରକାର ଏକର ପିଛା ୧୦ ହଜାର ଟଙ୍କାର ସହୟତା ଘୋଷଣା କରିଛନ୍ତି। ରାଜ୍ୟର ଚାଷୀମାନଙ୍କ ସ୍ଥିତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ତେଲେଙ୍ଗାନା ଦଶନ୍ଧି ପାଳନ ଅଂଶ ସ୍ବରୂପ ମୁଖ୍ୟମନ୍ତ୍ରୀ ରାଜ୍ୟ ସଚିବାଳୟରେ ଜାତୀୟ ପାତାକାକୁ ଉନ୍ମୋଚନ କରିଛନ୍ତି। ତେଲେଙ୍ଗାନା ସରକାରଙ୍କ ରାଇତୁବନ୍ଧୁ କାର୍ଯ୍ୟକ୍ରମ ଇତିହାସ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ କହିଛନ୍ତି। ଚାଷୀଙ୍କ ଲାଗି ବୀମା ଓ ସେମାନଙ୍କ ଉତ୍ପାଦିତ ଫସଲ କିଣିବା ଲାଗି ୭୦୦୦ ସ୍ବତନ୍ତ୍ର କେନ୍ଦ୍ର ସ୍ଥାପନ କରାଯାଇଛି। ଜନ ପ୍ରତିନିଧି, ପ୍ରଶାସନ, ସରକାରୀ କର୍ମଚାରୀ ଓ ଜନ ସାଧାରଣଙ୍କ ସହଯୋଗରେ ତେଲେଙ୍ଗାନା ବିକାଶ ପଥରେ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି। ଏହି ଅବସରରେ ତେଲେଙ୍ଗାନା ମୁଖ୍ୟସଚିବ ଶାନ୍ତି କୁମାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।