ଭୁବନେଶ୍ବର: ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷ ବୈଠକରେ ୨,୦୮୨ କୋଟି ଟଙ୍କାର ୧୧ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୩,୬୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପର୍ଯ୍ୟଟନ, ଇସ୍ପାତ ଆନୁଷଂଗିକ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଓ ମାନୁଫାକ୍ଚରିଂ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ।
ଆଜି ଅନୁମୋଦନ କରାଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି କୋରାପୁଟ ଜିଲ୍ଲାରେ ଖଣିଜ ପରିବହନ ପାଇଁ କନ୍ଭେଅର ଷ୍ଟେଲ୍ଟ ନିର୍ମାଣ ପାଇଁ ନାଲ୍କୋର ୭୩୨ କୋଟି ଟଙ୍କାର ପ୍ରକଳ୍ପ। କୋଣାର୍କ ଇସ୍ପାତ ଝାରସୁଗୁଡ଼ାରେ ପେଲେଟ୍ ପ୍ଲାଣ୍ଟ୍, କୋଲ୍ ଗ୍ୟାସିଫିକେସନ୍ ପ୍ଲାଣ୍ଟ୍ ସ୍ଥାପନ କରିବାକୁ ୩୭୯ କୋଟି ଟଙ୍କା ନିବେଶ କରିବ। ଯାଜପୁରର କଳିଙ୍ଗନଗରରେ ଏଏସ୍ଏଲ୍ ଏଣ୍ଟରପ୍ରାଇଜେସ୍ ୧୬୭.୦୩ କୋଟି ଟଙ୍କା ବିନିଯୋଗରେ ଏକ ରିବାର୍ ମିଲ୍, ପିଏସ୍ପିଏଲ୍ ଷ୍ଟିଲ୍ ପ୍ରୋସେସର୍ସ ୧୫୦ କୋଟି ଟଙ୍କା ନିବେଶରେ ଏକ ଷ୍ଟିଲ୍ ଫେବ୍ରିକେସନ ଷ୍ଟ୍ରକ୍ଚର ଓ ଖେତନ ବିନିଯୋଗ ୫୦.୧୦ କୋଟି ଟଙ୍କା ବିନିଯୋଗରେ ଏକ ଇସ୍ପାତ ଆନୁଷଂଗିକ ଉତ୍ପାଦ ନିର୍ମାଣ କାରଖାନା ସ୍ଥାପନ କରିବ।
ସେହିପରି, ଖୋର୍ଦ୍ଧା ଇନ୍ଫୋସିଟିରେ ୧୫୨.୨୫ କୋଟି ଟଙ୍କା ନିବେଶରେ ସିଟିଆର୍ ଏଲ୍ଏସ୍ ଡାଟା ସେଣ୍ଟରସ୍ ପକ୍ଷରୁ ସ୍ଥାପନ କରାଯିବାକୁ ଥିବା ଡାଟା ସେଣ୍ଟର ଓ କ୍ଲାଉଡ୍ ହୋଷ୍ଟ୍ ସେବା ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ପ୍ରଦାନ କରାଯାଇଛି। ଅନ୍ୟ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ହେଉଛି ସୁନ୍ଦରଗଡ଼ର କଲୁଙ୍ଗରେ ଆଇଏଫ୍ଜିଏଲ୍ ରିଫ୍ରାକ୍ଟରିଜ୍ର ୬୫.୨୭ କୋଟି ଟଙ୍କାର ମୋନୋଲିଥିକ୍ସ ଆଣ୍ଡ୍ ସ୍ଲାଇଡ୍ ଗେଟ୍ ପ୍ଲେଟ୍ ଉତ୍ପାଦନ ପ୍ରକଳ୍ପ, ପୁରୀ କୋଣାର୍କ ବେଳାଭୂମି ରାସ୍ତା ନିକଟରେ ୧୨୮ କୋଟି ଟଙ୍କା ବିନିଯୋଗରେ ଓଡିୟାନା ଇକୋ ରିସୋର୍ଟସ୍ ଓ ଲାଇଫ୍ଲାଇନ୍ ମଲ୍ଟିର ୧୦୦ କୋଟି ଟଙ୍କା ନିବେଶର ହୋଟେଲ୍ ଓ ରିସୋର୍ଟସ୍ ପ୍ରକଳ୍ପ। ଖୋର୍ଦ୍ଧା ଜିଲ୍ଲାରେ ହୋଟେଲ୍ ସୁଖାମେ ୮୮.୦୯ କୋଟି ଟଙ୍କା ନିବେଶରେ ଏକ ହୋଟେଲ୍ ସ୍ଥାପନ କରିବ ଓ ୬୯.୨୩ କୋଟି ଟଙ୍କା ବିନିଯୋଗରେ ଆସ୍ପେନ୍ ଲେକ୍ ସୁଟ୍ସ ଏଲ୍ଏଲ୍ପି ବରକୂଳରେ ଏକ ୫-ଷ୍ଟାର୍ ରିସୋର୍ଟ ନିର୍ମାଣ କରିବ। ଚିଲିକା ନିକଟରେ ଥିବା ଦ୍ବୀପରେ ପର୍ଯ୍ୟଟନ ସୁବିଧା ପାଇଁ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ପର୍ଯ୍ୟଟନ ବିଭାଗ, ଇଡ୍କୋ ଓ ଇପିକଲ୍କୁ ନିର୍ଦେଶ ଦେଇଥିଲେ। ପୂର୍ବ ଅନୁମୋଦିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ବରାନ୍ବିତ କରିବା ଓ ସଂସ୍ଥାଗୁଡ଼ିକୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ବିଭାଗଗୁଡ଼ିକୁ କହିଥିଲେ। ସ୍କିଲ୍ଡ ଇନ୍ ଓଡ଼ିଶାରେ ପ୍ରଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ବାରୋପ କରିଥିଲେ ଏବଂ ଜମି ଓ ଜଳର ବାସ୍ତବ ଅନୁଶୀଳନ କରିବାକୁ ଇପିକଲ୍କୁ ନିର୍ଦେଶ ଦେଇଥିଲେ। ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।