୧୧ଟି ଖଣିର ନିଲାମ ଶେଷ: ‘ଜିଏସ୍‌ ମିଶ୍ର ଆଣ୍ଡ୍‌ ସନ୍ସ’ ପାଖରେ ରହି‌ଲା ଗୋରୁମହିଷାଣୀ ଖଣି

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାରେ ଥିବା ଗୋରୁମହିଷାଣୀ ଲୁହା ପଥର ଖଣିକୁ ନିଜ ପାଖରେ ରଖିବାରେ ଘନଶ୍ୟାମ ମିଶ୍ର ଆଣ୍ଡ୍ ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ସଫଳ ହୋଇଛି। ଚଳିତ ଖଣି ନିଲାମ ପ୍ରକ୍ରିୟାରେ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ବିକ୍ରି ମୂଲ୍ୟ ଉପରେ ୧୧୫% ପ୍ରିମିୟମ୍ ଦେଇ କଂପାନି ଏହି ଖଣିକୁ ପାଇଛି। ପୂର୍ବରୁ ଏହି ଖଣିର ଲିଜ୍‌ କଂପାନି ପାଖରେ ଥିଲା। ଏଥିରେ ୧୭.୬୦ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ରହିଛି। ଗୋରୁମହିଷାଣୀ ଖଣିକୁ ପାଇବା ଦୌଡ଼ରେ ୧୧ଟି କଂପାନି ଥିଲେ। ସେହି କଂପାନିଗୁଡ଼ିକ ହେଉଛି ଜି ଭି ମାଇନ୍ସ, ମିନେରାଲ୍ସ ଆଣ୍ଡ୍ ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍, ଏପିଆଇ ଇସ୍ପାତ ଆଣ୍ଡ୍‌ ପାୱାରଟେକ୍, ମହେନ୍ଦ୍ର ସ୍ପଞ୍ଜ ଆଣ୍ଡ୍‌ ପାୱାର ଲିମିଟେଡ୍, ଶ୍ୟାମ ଏସ୍‌ଇଏଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍, ସୁପର ସ୍ମେଲଟର୍‌ ଲିମିଟେଡ୍, ଟିପି ସାଓ ଆଣ୍ଡ୍‌ ସନ୍ସ, ନିଓ ମେଟାଲିକ୍ସ ଲିମିଟେଡ୍, ଗୋପାଳ ସ୍ପଞ୍ଜ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌, ଏମ୍‌ଏସ୍‌ପି ସିମେଣ୍ଟ୍‌ ଲିମିଟେଡ୍ ଓ ଅଲ୍‌ଟ୍ରେଡ୍‌ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌।

ରାଜ୍ୟ ସରକାର ୧୯ଟି ଖଣିର ନିଲାମ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଛି। ନଦୀଡ଼ିହ ଖଣିକୁ ଗୋଆର କଂପାନି ଫୋମେଣ୍ଟୋ, ମହୁଲଶୁଖା ଲୁହାପଥର ଓ ମାଙ୍ଗାନିଜ ଖଣିକୁ ପଟ୍ଟନାୟକ ମିନେରାଲସ୍‌ ପ୍ରାଇଭେଟ୍ ଲିମିଟେଡ୍, ରୋଇଡା-୨କୁ କେ. ନର୍‌ଭେରାମ୍, ଜିଲିଙ୍ଗ୍‌-ଲାଙ୍ଗ୍‌ଲୋଟାକୁ ଶ୍ୟାମ୍ ଓର୍‌, ବାଲ୍‌ଦା ଲୁହାପଥର ଖଣିକୁ ସିରାଜୁଦ୍ଦିନ୍ ଓ ଠାକୁରାଣୀ ଖଣିକୁ ଆର୍ସେଲର୍‌ ମିତ୍ତଲ୍‌ ହାସଲ କରିଛି। ଜେଏସ୍‌ଡବ୍ଲୁ ସର୍ବାଧିକ ଚାରିଟି ଖଣି ପାଇବାରେ ସଫଳ ହୋଇଛି। ସେହି ଖଣିଗୁଡ଼ିକ ହେଉଛି ନୂଆଗାଁ, ନାରାୟଣପୋଷି, ଗଣୁଆ ଓ ଯଜାଙ୍ଗ।

ସମ୍ବନ୍ଧିତ ଖବର