ନୂଆଦିଲ୍ଲୀ: ବିଶ୍ବ ସୂଚନା ପ୍ରଯୁକ୍ତି ଶିଳ୍ପ କଠିନ ସମୟ ଦେଇ ଗତି କରୁଛି। ଆୟ ସଙ୍କୁଚିତ ହେବା ପରେ ବିଶ୍ବର ବହୁ ବଡ଼ ବଡ଼ ସଂସ୍ଥା କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି। କିଛି ଦିନ ପୂର୍ବେ ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ କଂପାନିର ଅଧା କର୍ମଚାରୀଙ୍କୁ ବିଦା କରିଥିଲେ। ଆଜି ଅନ୍ୟତମ ବୃହତ ସୋସିଆଲ ମିଡିଆ ସଂସ୍ଥା ‘ମେଟା’ ପକ୍ଷରୁ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ମେଟା ଅଧୀନରେ ରହିଛି ଫେସ୍ବୁକ୍, ଇନଷ୍ଟାଗ୍ରାମ୍ ଓ ହ୍ବାଟସ୍ଆପ୍ ଭଳି ବହୁଳ ଲୋକପ୍ରିୟ ସଂସ୍ଥା। ମେଟା ଏହାର ୧୩% କର୍ମଚାରୀଙ୍କୁ ଛଟେଇ କରିଛି। ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ମେଟାର କର୍ମଚାରୀ ସଂଖ୍ୟା ୮୭,୩୧୪ ଥିଲା।
ଛଟେଇ ଭଳି କଠୋର ନିଷ୍ପତ୍ତି ପାଇଁ କଂପାନିର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ସେ ନିଜକୁ ଦାୟୀ ମଧ୍ୟ କରିଛନ୍ତି। ମେଟା କାହିଁକି ଏଭଳି ସ୍ଥିତିରେ ପହଞ୍ଚିଲା ତାହାର କାରଣ ସମ୍ପର୍କରେ ବର୍ଣ୍ଣନା କରି ଜୁକରବର୍ଗ କହିଛନ୍ତି ଯେ କୋଭିଡ୍ ଲକ୍ଡାଉନ୍ ସମୟରେ ଇ-କମର୍ସ ଏବଂ ଇଣ୍ଟରନେଟ୍ର ବ୍ୟବହାର ଯେଉଁଭଳି ବହୁଳ ମାତ୍ରାରେ ବୃଦ୍ଧି ପାଇଥିଲା ତାହା ଆଗାମୀ ଦିନରେ ଜାରି ରହିବ ବୋଲି ଆମେ ଭାବୁଥିଲୁ। କିନ୍ତୁ ଆମ ଆକଳନ ଭୁଲ ପ୍ରମାଣିତ ହୋଇଛି। ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା, ବଜାରରେ ପ୍ରତିଦ୍ବନ୍ଦ୍ବିତା, ବିଜ୍ଞାପନରେ ହ୍ରାସ ଘଟିବା ପରେ ରାଜସ୍ବ ଆୟ ଆଶାନୁରୂପ ରହିନଥିଲା।
ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ଫେସବୁକ୍ ପକ୍ଷରୁ ୪ ମାସର ଦରମା ଦେବ।
ଏହା ବ୍ୟତୀତ ଯେଉଁ କର୍ମଚାରୀ ଯେତିକି ବର୍ଷ କାମ କରିଥିବେ ପ୍ରତିବର୍ଷ ପାଇଁ ଅତିରିକ୍ତ ଦୁଇ ସପ୍ତାହ ଲେଖାଏଁର ଦରମା ଦେବ। ସ୍ବାସ୍ଥ୍ୟ ବୀମା ସୁବିଧା ଛଅ ମାସ ପର୍ଯ୍ୟନ୍ତ ପ୍ରଦାନ କରିବ। ଛଟେଇଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟାକୁ ମଧ୍ୟ ମେଟା ବନ୍ଦ କରିଦେଇଛି। ଯେଉଁମାନେ ଏଚ୍-୧ବି ଭିସାରେ ଆସି କଂପାନି ଲାଗି କାମ କରୁଥିଲେ ଓ ଛଟେଇ ହୋଇଛନ୍ତି ସେଭଳି କର୍ମଚାରୀଙ୍କୁ କଂପାନି ଆବଶ୍ୟକ ସହାୟତା ପ୍ରଦାନ କରିବ।