ଇଣ୍ଟରନେଟ୍‌ରେ ନିଷିଦ୍ଧ ହେବ ୧୧ ପ୍ରକାର ପୋଷ୍ଟ୍‌

ଏଆଇକୁ ନିୟନ୍ତ୍ରଣ କରିବୁ: ଆଇଟି ମନ୍ତ୍ରୀ

ନୂଆଦିଲ୍ଲୀ: ଡିଜିଟାଲ୍‌ ଦୁନିଆକୁ ସମସ୍ତଙ୍କ ଲାଗି ସୁରକ୍ଷିତ ଓ ଭରସାଯୋଗ୍ୟ କରିବା ଲାଗି ସରକାର ‌ଯେଉଁ ଡିଜିଟାଲ୍ ଇଣ୍ଡିଆ ବିଲ୍ ପ୍ରସ୍ତୁତ କରିଛନ୍ତି ସେଥିରେ ୧୧ ପ୍ରକାର ବିଷୟବସ୍ତୁକୁ ନିଷିଦ୍ଧ କରିବା ଲାଗି ପ୍ରୟାସ କରାଯାଇଛି। ଶିଶୁ ‌ଯୌନ ନିର୍ଯ୍ୟାତନା, ଧାର୍ମିକ ଘୃଣା ସୃଷ୍ଟି, ପେମେଣ୍ଟ୍‌ ଉଲ୍ଲଂଘନ କରୁଥିବା ବିଷୟବସ୍ତୁ ଓ ମିଥ୍ୟା ଖବର ଓ ସୂଚନା ଆଦିକୁ ନିଷିଦ୍ଧ କରାଯିବ ବୋଲି ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

ସେ କହିଛନ୍ତି ଯେ ଇଣ୍ଟରନେଟ୍‌ର ଖରାପ ପ୍ରଭାବକୁ କବମ୍ କରିବା ଏବଂ ସାଇବର ଅପରାଧର ମୁକାବିଲା କରିବା ଲାଗି ବିଲ୍‌ରେ ବ୍ୟବସ୍ଥା ରହିଛି। ଚଳିତ ମାସରେ ଏହାକୁ ନେଇ ଅଂଶୀଦାରମାନଙ୍କ ସହ ଆଲୋଚନା ହେବ ଏବଂ ଖୁବ୍‌ଶୀଘ୍ର ତାହାକୁ ସଂସଦରେ ଉପସ୍ଥାପନ କରାଯିବ। ଏହା ଆଇନରେ ପରିଣତ ହେବା ପରେ ନିୟମ ମାନୁନଥିବା ସୋସିଆଲ ମିଡିଆ ସଂସ୍ଥାଙ୍କ ବି‌ରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସରକାରଙ୍କ ପାଇଁ ସହଜ ହେବ। ସେ କହିଛନ୍ତି ଯେ ୨୦୧୪ରେ (ନରେନ୍ଦ୍ର ମୋଦୀ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବା ବର୍ଷ) ଡିଜିଟାଲ୍ ସଂଯୋଗରେ ଭାରତ ଅନ୍ୟତମ ପଛୁଆ ଦେଶ ଥିଲା। ଏବେ ୮୫ କୋଟି ଲୋକ ଡିଜିଟାଲ୍ ଦୁନିଆ ସହ ଯୋଡ଼ିହୋଇରହିଛନ୍ତି।

କ’ଣ ନିଷିଦ୍ଧ ହେବ
ଯୌନ ଉଦ୍ଦୀପକ ବିଷୟ, ଶିଶୁଙ୍କ ପାଇଁ ହାନିକାରକ ବିଷୟ, କପିରାଇଟ୍‌ ଉଲ୍ଲଂଘନ, ବିଭ୍ରାନ୍ତ କରୁଥିବା ବିଷୟ, ନକଲି ପରିଚୟ, ଭାରତର ଏକତା ଓ ସଂହତି ବି‌ରୋଧୀ ବିଷୟ, କମ୍ପ୍ୟୁଟର ମାଲ୍‌ୱେର, ନିଷିଦ୍ଧ ଅନଲାଇନ୍ ଖେଳ ଓ ବେଆଇନ ବିଷୟ

ବର୍ତ୍ତମାନ ଭାରତ ହେଉଛି ଡିଜିଟାଲ ଦୁନିଆରେ ସକ୍ରିୟ ଥିବା ସବୁଠୁ ବଡ଼ ଦେଶ। ୨୦୨୫ ସୁଦ୍ଧା ୧୨୦ କୋଟି ଲୋକ ଡିଜିଟାଲ୍‌ ଦୁନିଆରେ ସକ୍ରିୟ ରହିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଡିଜିଟାଲ୍‌ ଦୁନିଆରେ ଏବେ ଯାହା କିଛି ସମସ୍ୟା ରହିଛି ସେଥିପାଇଁ ମନ୍ତ୍ରୀ ଉପା ସରକାରଙ୍କ ଦାୟୀ କରିଛନ୍ତି। ସେହି ସମୟରେ ଆଇଟି ନିୟମ ସଂଶୋଧନକୁ ଅଟକାଇ ସରକାର ବଡ଼ ପ୍ରଯୁକ୍ତି କଂପାନି ଓ ସୋସିଆଲ ମିଡିଆଗୁଡ଼ିକର ମୁହଁ ବଢ଼ାଇଥିଲେ। ଏବେ ସରକାର ଯେଉଁ ବିଲ୍‌ ପ୍ରସ୍ତୁତ କରିଛନ୍ତି ତାହା ଇଣ୍ଟରନେଟ୍‌କୁ ସମସ୍ତ ପାଇଁ ମୁକ୍ତ ଓ ସୁରକ୍ଷିତ କରିବ ଏବଂ ଡିଜିଟାଲ୍ ଦୁନିଆରେ ନାଗରିକମାନେ ନିଜକୁ ନିରାପଦ ମନେ କରିବେ। ଇଣ୍ଟରନେଟ୍ ପ୍ଲାଟଫର୍ମ କିଭଳି ସୁରକ୍ଷିତ ରହିବ ତାହା କଂପାନିଗୁଡ଼ିକର ଦାୟିତ୍ବ ବୋଲି ସେ କହିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ ଡିଜିଟାଲ୍‌ ଦୁନିଆରେ ନାଗରିକଙ୍କୁ ସୁରକ୍ଷିତ ରଖିବା ଲାଗି ସରକାର ତାହାକୁ ନିୟନ୍ତ୍ରଣରେ ରଖିବେ। ନିଯୁକ୍ତି ଉପରେ ଏଆଇର ପ୍ରଭାବ ସମ୍ପର୍କରେ ସେ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ଭିତରେ ସେଭଳି କିଛି ହେବାର ସମ୍ଭାବନା କମ୍। ଏଆଇ ଜରିଆରେ ୧ କୋଟି ନିଯୁକ୍ତି ସୃଷ୍ଟି ହୋଇସାରିଲାଣି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର