ଭୁବନେଶ୍ବର: ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ପକ୍ଷରୁ ରାଜ୍ୟରେ ସ୍ଥାପନ କରାଯିବାକୁ ଥିବା ସେମିକଣ୍ଡକ୍ଟର ପ୍ରକଳ୍ପ ଲାଗି ପ୍ରୋତ୍ସାହନ ପ୍ୟାକେଜ୍‌କୁ କ୍ୟାବିନେଟ୍ କମିଟିରେ ମଞ୍ଜୁରି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ ୫୦ ପ୍ରତିଶତ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ହୋଇଛି। ସାଧାରଣତଃ ୩୦ ପ୍ରତିଶତ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ, ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହୋଇଥିବାରୁ ୫୦ ପ୍ରତିଶତ ପ୍ରୋତ୍ସାହନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ସେ ବାବଦକୁ ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା ପ୍ରଦାନ କରିବେ। ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଭୁବନେଶ୍ବରରେ ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ସେଥିରେ ୬୧୮ କୋଟି ଟଙ୍କା ନିବେଶ ହେବ। କାରଖାନାକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ।

Advertisment

ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଗତବର୍ଷ ସେପ୍ଟେମ୍ବର ୭ରେ ଇନ୍‌ଫୋଭାଲିରେ ଇଲେକ୍ଟ୍ରୋନିକ୍ ମାନୁଫାକ୍‌ଚରିଂ ପାର୍କରେ ଅନୁଷ୍ଠିତ ହୋଇଯାଇଛି। ଏହି କାରଖାନାରେ ଉତ୍ପାଦିତ ସାମଗ୍ରୀକୁ ସିଆଇସି ଉପକରଣ, ଇଲେକ୍ଟ୍ରିକ୍ ଯାନ (ଇଭି), ଅକ୍ଷୟ ଶକ୍ତି, ରେଳବାଇ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର କରାଯିବ। ଏହା ଦ୍ବାରା ୭୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ଭାରତର ପ୍ରଥମ କମ୍ପାଉଣ୍ଡର୍‌ ସେମିକଣ୍ଡକ୍ଟର ଫ୍ୟାବ୍ ହେବ ଯାହା ଉଚ୍ଚ ମାନର ପ୍ରକ୍ରିୟା ବ୍ୟବହାର କରିବ। ଆର୍‌ଆଇଆର୍‌ ହେଉଛି ଭାରତ ଏକମାତ୍ର ସିଲିକନ୍ ଭିତ୍ତିକ ଶକ୍ତି ଉପକରଣ ଉତ୍ପାଦନକାରୀ ଯାହା ଭେଲ୍, ଏବିବି ଓ ଭାରତୀୟ ରେଳକୁ ସେବା ଯୋଗାଉଛି। ଏହି ପ୍ରକଳ୍ପ ଓଡ଼ିଶାକୁ ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ ଭାବେ ଉପସ୍ଥାପିତ କରି ରାଜ୍ୟର ଶିଳ୍ପ ଅଭିବୃଦ୍ଧିକୁ ବଢ଼ାଇବ, ଯୋଗାଣ ଶୃଙ୍ଖଳ ବିକାଶ କରିବ ଓ ଦକ୍ଷତା ସୁଯୋଗରେ ଉନ୍ନତି ଆଣିବ।