ଭୁବନେଶ୍ବର: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ଏୟାରଲାଇନ୍ସ ସ୍ପାଇସ୍‌ଜେଟ୍‌ରେ ମୁମ୍ବାଇରେ ବାସ କରୁଥିବା ଓଡ଼ିଆ ଦମ୍ପତି ହରିହର ମହାପାତ୍ର ଓ ପ୍ରୀତି ମହାପାତ୍ର ୧୧୦୦ କୋଟି ଟଙ୍କା ନିବେଶ କରିଛନ୍ତି। ସେମାନେ ସ୍ପାଇସ୍‌ଜେଟ୍‌ର ୧୯ ପ୍ରତିଶତ ଅଂଶଧନ ହାସଲ କରିଛନ୍ତି। ହରିହର ଓଡ଼ିଆ ହୋଇଥିବା ବେଳେ ପ୍ରୀତି ହେଉଛନ୍ତି ଓଡ଼ିଶାର ବୋହୂ। ଅଜୟ ସିଂହଙ୍କ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ସ ସ୍ପାଇସ୍‌ଜେଟ୍‌ ୨୨୫୪ କୋଟି ଟଙ୍କାର ପାଣ୍ଠି ହାସଲ କରିଥିବା ବିଷୟରେ ଗତ ସପ୍ତାହରେ ଘୋଷଣା କରିଥିଲା। ହରିହର ଓ ପ୍ରୀତି ହେଉଛନ୍ତି ‘ମହାପାତ୍ର ୟୁନିଭର୍ସାଲ ଲିମିଟେଡ୍‌’ ନାମକ ସଂସ୍ଥାର ପ୍ରତିଷ୍ଠାତା। ଏହି ସଂସ୍ଥା ରିଅଲ ଇଷ୍ଟେଟ୍‌, ଭିତ୍ତିଭୂମି, କନ୍‌ସଲ୍‌ଟିଂ, କଞ୍ଜ୍ୟୁମର୍‌ ଓ ରିଟେଲ୍‌ କ୍ଷେତ୍ରରେ କାରବାର କରୁଥିବା କଂପାନିର ୱେବସାଇଟ୍‌ରେ ଉଲ୍ଲେଖ ରହିଛି। ୨୦୧୬ରେ ହରିହରଙ୍କ ପତ୍ନୀ ପ୍ରୀତି ଉତ୍ତରପ୍ରଦେଶ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ କଂଗ୍ରେସ ନେତା କପିଲ ଶିବଲଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ହାରିଥିଲେ।

Advertisment

ସ୍ପାଇସ୍‌ଜେଟ୍‌କୁ ନୂଆ ପାଣ୍ଠି ମିଳିଥିବାରୁ ନୂତନ ୭୩୭ ମ୍ୟାକ୍ସ ବିମାନ ଯୋଗାଇବା ଲାଗି ଏହା ବୋଇଙ୍ଗ ସହ ଖୁବ୍‌ଶୀଘ୍ର କଥାବାର୍ତ୍ତା ଆରମ୍ଭ କରିବ। ଉଲ୍ଲେଖଯୋଗ୍ୟ, ସ୍ପାଇସ୍‌ଜେଟ୍‌ ଉପରେ ୬୦୦୦ କୋଟି ଟଙ୍କାର ଦେୟ ବକେୟା ରହିଛି। ସେଥିରୁ ୫୫୦ କୋଟି ଟଙ୍କା ବୈଧାନିକ ଦେୟ ହୋଇଥିବା ବେଳେ ୪୨୦୦ କୋଟି ଟଙ୍କା ବିମାନ ଲିଜ୍‌ ଦେଇଥିବା ସଂସ୍ଥାଙ୍କ ବକେୟା ରହିଛି। ସେଥିପାଇଁ ସ୍ପାଇସ୍‌ଜେଟ୍ ବିରୋଧରେ କୋର୍ଟରେ ମାମଲା ଚାଲିଥିବା ବେଳେ କୋର୍ଟ କଂପାନିକୁ କଡ଼ା ସମାଲୋଚନା କରିଛନ୍ତି।