ପାରାଦୀପରେ ଆରମ୍ଭ ହେବ ୧୧ ହଜାର କୋଟିର ପ୍ରକଳ୍ପ

ଭୁବନେଶ୍ବର: ଚଳିତ ମାସ ୬ ତାରିଖରେ ପାରାଦୀପ ବନ୍ଦର ଓ ପାରାଦୀପ ତୈଳ ବିଶୋଧନାଗାରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହେବ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସବୁ ପ୍ରକଳ୍ପର ଶୁଭାରମ୍ଭ କରିବେ। ଅନ୍ୟ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ୍ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ।
ପାଖାପାଖି ୩୧୫୦ କୋଟି ଟଙ୍କା ବିନିଯୋଗରେ ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାରରେ ନିର୍ମାଣ କରାଯାଇଥିବା ବିଶ୍ବ ସ୍ତରୀୟ ପଲିପ୍ରୋ‌ପିଲିନ୍‌ କାରଖାନା କାର୍ଯ୍ୟକ୍ଷମ ହେବ। ସେହିପରି ୫୬୫୪ କୋଟି ଟଙ୍କାରେ ମନୋଇଥିଲିନ୍ ଗ୍ଲାଇକଲ୍‌ (ଏମ୍‌ଇଜି) କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହା ବ୍ୟତୀତ ୬୯୦ କୋଟି ଟଙ୍କା ବିନିଯୋଗରେ ବିକଶିତ କରାଯାଇଥିବା ୦.୬ ନିୟୁତ ଟନ୍‌ର ଏଲ୍‌ପିଜି ଇମ୍ପୋର୍ଟ ଟର୍ମିନାଲ୍‌କୁ ମଧ୍ୟ ଉନ୍ମୋଚନ କରାଯିବ। ପାରାଦୀପ ବନ୍ଦରରେ ୪୩୦.୭୮ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଇଥିବା ବା‌ର୍ଷିକ ୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସ୍ବଚ୍ଛ କାର୍ଗୋ ଭିତ୍ତିକ ବହୁମୁଖୀ ବର୍ଥକୁ ମଧ୍ୟ ସେହିଦିନ ଉଦ୍‌ଘାଟନ କରାଯିବ। ପାରାଦୀପ ବନ୍ଦରର ବର୍ଥ ଇକ୍ବେ-୧,୨ ଓ ୩ର ଯାନ୍ତ୍ରୀକକରଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏହି ପ୍ରକଳ୍ପରେ ୧୪୩୭.୭୬ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ବିଷୟରେ ଘୋଷଣା କରିବା ପାଇଁ ଆଜି ହୋଟେଲ୍ କ୍ରାଉନ୍‌ ଠାରେ ଆୟୋଜନ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ରୀଙ୍କେଶ ରାୟ, ପାରାଦୀପ ତୈଳ ବିଶୋଧନାଗାରର କାର୍ଯ୍ୟନିର୍ବାହୀ ନିର୍ଦେଶକ ଟିଡିଭିଏସ୍‌ ଗୋପାଳକୃଷ୍ଣ, ଆଇଓସିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରିତୀଶ ଭରତ, ମୁଖ୍ୟ ପରିଚାଳନା ପ୍ରବନ୍ଧକ ସୁଜୟ ଚୌଧୁରୀ ଓ ଇଣ୍ଡିଆନ୍‌ ଅଏଲ୍‌ର ଦକ୍ଷିଣ ପଶ୍ଚିମାଞ୍ଚଳ ପାଇପ୍‌ଲାଇନ୍‌ର ମୁଖ୍ୟ ପରିଚାଳନା ପ୍ରବନ୍ଧକ ଏସ୍‌ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର