ରାଜ୍ୟ ରାଜସ୍ବ ଆୟରେ ୧୧୨% ବୃଦ୍ଧି: ଜୁନ୍ ସୁଦ୍ଧା ୧୭,୬୫୬ କୋଟି ସଂଗ୍ରହ

ଭୁବନେଶ୍ବର: କରୋନା ମହାମାରୀ ପ୍ରଭାବ ସତ୍ତ୍ବେ ନିଜସ୍ବ ଉତ୍ସରୁ ଟିକସ ସଂଗ୍ରହରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ୧୭,୬୫୬.୭୦ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷ ଏହି ସମୟରେ ହୋଇଥିବା ୮୩୦୭.୫୪ କୋଟି ଟଙ୍କାର ସଂଗ୍ରହ ତୁଳନାରେ ୧୧୨.୫୪ ପ୍ରତିଶତ ଅଧିକ। ନିଜସ୍ବ ଉତ୍ସରୁ ଟିକସ ସଂଗ୍ରହରେ ୭୪.୬୬ ପ୍ରତିଶତ ବୃଦ୍ଧି ହୋଇଛି। ଓଡ଼ିଶା ଜୁନ୍‌ରେ ୮୦୩୬ କୋଟି ଟଙ୍କାର ନିଜସ୍ବ ଟିକସ ସଂଗ୍ରହ କରିଛି ଯାହା ପୂର୍ବବର୍ଷ ଜୁନ୍‌ରେ ୪୬୦୧ କୋଟି ଟଙ୍କା ଥିଲା। ସେହିପରି, ୨୦୨୧ ଜୁନ୍‌ରେ ଅଣ ଟିକସ ରାଜସ୍ବ ୧୫୯.୫୫ ପ୍ରତିଶତ ବୃଦ୍ଧି ପାଇ ୯୬୨୧.୧୬ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ ୮୩୦୭.୫୪ କୋଟି ଟଙ୍କାର ଅଣ-ଟିକସ ରାଜସ୍ବ ମିଳିଥିଲା। ଇସ୍ପାତ ଓ ଖଣି କ୍ଷେତ୍ରରୁ ଅଧିକ ଅଣ-ଟିକସ ରାଜସ୍ବ ମିଳିଛି।

ଆଜି ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମସ୍ତ ସଚିବମାନଙ୍କ ବୈଠକରେ ରାଜସ୍ବ ଆୟ ବିଷୟରେ ସୂଚନା ଦିଆଯାଇଛି। ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା କହିଛନ୍ତି ଯେ ଜୁନ୍‌ରେ ବଜେଟ୍ ଉପଯୋଗିତା ରାଶି ୨୧% ବୃଦ୍ଧି ପାଇ ୧୨,୮୬୪ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ଜୁନ୍ ସୁଦ୍ଧା ବଜେଟ୍ ଉପଯୋଗିତା ୯୮୭୩ କୋଟି ଟଙ୍କା ଥିଲା। ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସଚିବମାନଙ୍କୁ ନିର୍ଦେଶ ଦେଇ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍) ଓ ଓମ୍‌ବାଡ୍‌ସି ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖିବାକୁ କହିଛନ୍ତି। ବିଭିନ୍ନ ବିଭାଗରେ ସୃଷ୍ଟି ହେଉଥିବା ସରକାରୀ ସମ୍ପତ୍ତିର ତଥ୍ୟ ରଖିବା ଲାଗି ଏକ ଡିଜିଟାଲ୍ ଆସେଟ୍ ରେଜି‌ଷ୍ଟର୍‌ ବ୍ୟବସ୍ଥା କରିବାକୁ ସେ ବିଭାଗଗୁଡ଼ିକୁ କହିଛନ୍ତି। ଏହି ରେଜିଷ୍ଟର ନାଗରିକମାନଙ୍କ ଲାଗି ସାର୍ବଜନୀନ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର୍‌ ସହଯୋଗରେ ଏହି ରେଜି‌ଷ୍ଟର୍‌ ଖୋଲିବାକୁ ଉନ୍ନୟନ କମିସନର ପି କେ ଜେନା କହିଛନ୍ତି।

ଆଜିର ବୈଠକରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ମେ’ ସୁଦ୍ଧା ଡିଏମ୍ଏଫ୍ ଅଧୀନରେ ୧୪,୪୯୦ କୋଟି ଟଙ୍କା ମୂଲ୍ୟର ୨୦,୩୭୨ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ସେଥି ମଧ୍ୟରୁ ୧୩,୧୩୨ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ସେହିପରି ଓମ୍‌ବାଡ୍‌ସିର ଦ୍ବିତୀୟ ପର୍ଯ୍ୟାୟରେ ସାତଟି କ୍ଷେତ୍ରରେ ୧୩,୭୮୨ କୋଟି ଟଙ୍କାର ୩୮ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ନିର୍ଧାରିତ ସମୟ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ପ୍ରକଳ୍ପ କାର୍ଯ୍ୟ ନିର୍ଧାରିତ ସମୟ ଭିତରେ ଶେଷ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର