୧୧୬ ଭିତ୍ତିଭୂମି ପ୍ରକଳ୍ପ ବନ୍ଦ ହେବ: ତାଲିକାରେ ୫୦ ରେଳ, ୩୦ ସଡ଼କ ପ୍ରକଳ୍ପ

ଜମି ଅଧିଗ୍ରହଣ, ରାଜ୍ୟ-କେନ୍ଦ୍ର ବିବାଦ ପାଇଁ କାମ ଆଗେଇ ପାରୁନି

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ଏବଂ ରାଜ୍ୟ-କେନ୍ଦ୍ର ବିବାଦ ଭଳି ଅଡ଼ୁଆରେ ଫସିଥିବା ୧୧୬ଟି ଭିତ୍ତିଭୂମି ପ୍ରକଳ୍ପକୁ ସବୁଦିନ ପାଇଁ ବନ୍ଦ କରିବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ୨୦,୩୧୧ କୋଟି ଟଙ୍କା ନିବେଶ ହୋଇଛି। ମୋଟ ଉପରେ ସେଥିରେ ୧.୨୬ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ଯୋଜନା ରହିଛି। ବିବାଦ ଯୋଗୁ କାମ ଆଗେଇ ପାରୁନଥିବାରୁ ପ୍ରକଳ୍ପ କାମ ବନ୍ଦ କରି ସେଗୁଡ଼ିକୁ ପ୍ରକଳ୍ପ ନିରୀକ୍ଷଣ ବ୍ୟବସ୍ଥାରୁ ହଟାଇ ଦିଆଯିବ। ଦୀର୍ଘଦିନ ଧରି କାମ ଆଗେଇ ପାରୁନଥିବା ଅଧିକାଂଶ ପ୍ରକଳ୍ପ ହେଉଛି ସଡ଼କ ଓ ରେଳ ସମ୍ପର୍କିତ। ଏହି ତାଲିକାରେ ରେଳବାଇର ୫୦ ପ୍ରକଳ୍ପ ରହିଛି। ସେଥିରୁ କିଛି ପ୍ରକଳ୍ପକୁ ୪୮ ବର୍ଷ ପୂର୍ବେ ମଞ୍ଜୁର କରାଯାଇଥିଲା। ଏବେବି ୧୫ ପ୍ରକଳ୍ପ ମଞ୍ଜୁର ହୋଇପାରିନାହିଁ। ୩୩ଟି ସଡ଼କ ପ୍ରକଳ୍ପକୁ ମଧ୍ୟ ସରକାର ବନ୍ଦ କରିବାକୁ ଚାହୁଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ କୋଟି କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ସେଗୁଡ଼ିକୁ ବନ୍ଦ କରି ସେହି ସ୍ଥାନରେ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ସରକାର ଯୋଜନା ରଖିଛନ୍ତି।

ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ ସେଥିରେ ହେବାକୁ ଥିବା ଖର୍ଚ୍ଚ ପରିମାଣ ମଧ୍ୟ ବୃଦ୍ଧି ପାଉଛି। ଅଟକି ରହିଥିବା ରେଳ ପ୍ରକଳ୍ପର ଖର୍ଚ୍ଚ ୪୯ ପ୍ରତିଶତ ବୃଦ୍ଧି ପାଇ ୮୮,୩୭୩ କୋଟି ଟଙ୍କା ହୋଇଛି। ୭୨ଟି ରେଳ ପ୍ରକଳ୍ପରେ ବର୍ତମାନ ସୁଦ୍ଧା ୮,୫୦୦ କୋଟି ଟଙ୍କା ନିବେଶ ହୋଇଛି। ଅଧା ବାଟରେ ଅଟକିଥିବା ୩୩ ରେଳ ପ୍ରକଳ୍ପର ଖର୍ଚ୍ଚ ୬% ବୃଦ୍ଧି ପାଇଛି। ଏହି ପ୍ରକଳ୍ପଗୁଡ଼ିକରେ ୧୧ ହଜାର କୋଟି ଟଙ୍କା ନିବେଶ ହୋଇସାରିଛି। ତଥାପି ସେଗୁଡ଼ିକୁ ସରକାର ବନ୍ଦ କରିବାକୁ ଚାହୁଛନ୍ତି। ଆଗେଇ ପାରୁନଥିବା ୧୧୬ଟି ପ୍ରକଳ୍ପ ମଧ୍ୟରୁ ଜମି ଅଧିଗ୍ରହଣ, ପ୍ରଶାସନିକ ସମସ୍ୟା ଓ ଅନ୍ୟାନ୍ୟ ବିବାଦ ପାଇଁ ୫୫ଟି ପ୍ରକଳ୍ପକୁ ବନ୍ଦ କିମ୍ବା ସ୍ଥଗିତ ରଖାଯାଇଛି। ନିତି ଆୟୋଗ ପକ୍ଷରୁ ଏନେଇ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ପ୍ରକଳ୍ପ ଲାଗି ହୋଇଥିବା ଜମି ଅଧିଗ୍ରହଣକୁ ରାଜ୍ୟଗୁଡ଼ିକ ମଞ୍ଜୁର କରୁନାହାନ୍ତି। କେବଳ ସେତିକି ନୁହେଁ, ରାଜ୍ୟଗୁଡ଼ିକ ଆବଶ୍ୟକ ଅନୁମୋଦନ ମଧ୍ୟ ଦେଉନାହାନ୍ତି। କେନ୍ଦ୍ର ଓ ରାଜ୍ୟଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପାଇଁ କିଛି ରାଜ୍ୟ ପାଣ୍ଠି ଦେବା ଲାଗି ଅକ୍ଷମତା ପ୍ରକାଶ କରିବା ଯୋଗୁ ୧୦ ପ୍ରକଳ୍ପ ଆଗେଇ ପାରୁନାହିଁ।

ସମ୍ବନ୍ଧିତ ଖବର