ଭୁବନେଶ୍ବର: ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଛି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ କମିଟିର ଦଶମ ‌ବୈଠକରେ ୭ଟି ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତାରେ ୧୪୯.୯୭ ମେଗାୱାଟ୍‌ ବୃଦ୍ଧି ଘଟିବ। ମଞ୍ଜୁର ହୋଇଥିବା ପ୍ରକଳ୍ପରେ ୯୫.୭ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଦୁଇଟି ପବନ ଶକ୍ତି, ୫୩.୯୭ ମେଗାୱାଟ୍‌ର ୪ଟି ଭୂପୃଷ୍ଠ ସୌର ପ୍ରକଳ୍ପ ଏବଂ ଗୋଟିଏ ୦.୬ ଏମ୍‌ଡବ୍ଲୁଏଚ୍‌ କ୍ଷମତାର ପ୍ରଥମ ବ୍ୟାଟେରି ଷ୍ଟୋରେଜ୍ ପ୍ରକଳ୍ପ ରହିଛି। ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବ‌ାରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। 

Advertisment

ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ଦେବ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିରେ ଅକ୍ଷୟ ଶକ୍ତିର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ନିବେଶ ଆଣିବା ଏବଂ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକୁ ଠିକ୍ ସମ‌ୟରେ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କ ରହିଥିବା ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ। ବୈଠକରେ ପୂର୍ବରୁ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ସମୀକ୍ଷା କରାଯାଇଥିଲା। ଏହି ଅବସ‌ରରେ ଶକ୍ତି, ଜଳ ସମ୍ପଦ ଓ ରାଜସ୍ବ ବିଭାଗ, ଗ୍ରିଡ୍‌କୋ, ଓପିଟିସିଏଲ୍‌, ବିଦ୍ୟୁତ୍‌ ବଣ୍ଟନ କମ୍ପାନି, ଓଏଚ୍‌ପିସି ଓ ଇଆଇସି (ବିଦ୍ୟୁତ୍‌)ର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। 

ଶକ୍ତି ବିଭାଗ ଓ ଗ୍ରିଡ୍‌କୋର ମିଳିତ ସହଯୋଗରେ ସିଙ୍ଗଲ୍‌ ୱିଣ୍ଡୋ କମିଟି ଅକ୍ଷୟ ଶକ୍ତି କ୍ଷେତ୍ରକୁ ପୁଞ୍ଜିନିବେଶ ଆଣିବା ଦିଗରେ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା କମିଟିର ବସିଥିବା ବୈଠକଗୁଡ଼ିକରେ ୧୨,୩୮୭.୩୬ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକର ମୋଟ କ୍ଷମତା ହେଉଛି ୧୭୦୭.୫୬ ମେଗାୱାଟ୍‌।