ନୂଆଦିଲ୍ଲୀ: ଦେଶର ୧୦ଟି ସହରରେ ୧୨ଟି ଶିଳ୍ପ ସ୍ମାର୍ଟ ସହର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟିରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଛଅଟି ପ୍ରମୁଖ ଶିଳ୍ପ କରିଡର୍ ମଧ୍ୟ ଦେଇ ଏହି ସହରଗୁଡ଼ିକୁ ବିକାଶ କରାଯିବ। ମାନୁଫାକ୍ଚରିଂକୁ ବଢ଼ାଇବା ଲାଗି ଏହି ପ୍ରକଳ୍ପରେ ୨୮,୬୦୨ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ପ୍ରକଳ୍ପ ଦ୍ବାରା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଉତ୍ତରଖଣ୍ଡ, ପଞ୍ଜାବ, କେରଳ, ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ। ମୋଦୀ ସରକାରଙ୍କ ତୃତୀୟ ପାଳିର ଦୁଇ ପ୍ରମୁଖ ସହଯୋଗୀ ଥିବା ଜେଡି (ୟୁ) ପାଇଁ ବିହାର ଓ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପାଇଁ ଆନ୍ଧ୍ରପ୍ରଦେଶକୁ ଏହି ପ୍ରକଳ୍ପରେ ସ୍ଥାନ ମିଳିଛି ବୋଲି ଚର୍ଚ୍ଚା ହେଉଛି।
ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏହି ନୂଆ ଶିଳ୍ପ ସ୍ମାର୍ଟ ସହରରେ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧାସୁଯୋଗ ରହିଛି। ଶିଳ୍ପ ସଂସ୍ଥା ଆସିବେ ଓ ସେଠାରେ ଥିବା ବ୍ୟବସ୍ଥା ବ୍ୟବହାର କରି କାରବାର କରିପାରିବେ। ସେମାନଙ୍କୁ ଆଉ ବ୍ୟବସ୍ଥା ବିକାଶ କରିବା ଲାଗି ଚିନ୍ତା କରିବାକୁ ପଡ଼ିବନି। ଏହି ପ୍ରକଳ୍ପ ୧.୫୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିପାରିବ ବୋଲି ସେ କହିଛନ୍ତି। ୨୦୩୦ ସୁଦ୍ଧା ୨ ଲକ୍ଷ କୋଟି ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ଏହି ଶିଳ୍ପ ସ୍ମାର୍ଟ ସହରଗୁଡ଼ିକ ସହାୟକ ହେବ। ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ଶିଳ୍ପ ସ୍ମାର୍ଟ ସହରରେ ବିକଶିତ ହୋଇଥିବା ଜମି ତୁରନ୍ତ ଆବଣ୍ଟନ କରାଯିବ। ଫଳରେ ଦେଶ ଓ ବିଦେଶରେ ନିବେଶକମାନେ ସହଜରେ ନିଜର ମାନୁଫାକ୍ଚରିଂ କାରଖାନା ସ୍ଥାପନ କରିପାରିବେ। ଏହା ଅତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି।
ଅନ୍ୟ ପକ୍ଷରେ, କ୍ୟାବିନେଟ୍ କମିଟି ବୈଠକରେ କୃଷି ଭିତ୍ତିଭୂମି ପାଣ୍ଠିକୁ ସମ୍ପ୍ରସାରଣ କରାଯାଇଛି। ଏହାର ଯୋଗ୍ୟତା ମାନଦଣ୍ଡରେ କୃଷି ସମ୍ପତ୍ତି ଗଠନ, ସମନ୍ବିତ ପ୍ରକ୍ରିୟାକରଣ ପ୍ରକଳ୍ପ, ପିଏମ୍ କୁସୁମର ବିଭିନ୍ନ ଉପାଦାନ, ନବରସଂରକ୍ଷଣ ଆଦିକୁ ସାମିଲ କରାଯାଇଛି। ସେହିପରି, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଜଳ ବିଦ୍ୟୁତ ପ୍ରକଳ୍ପ ବିକାଶ ଲାଗି ଇକ୍ବିଟି ସହାୟତା ଭାବେ ୪୧୩୬ କୋଟି ଟଙ୍କା ଦେବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି।