ନୂଆଦିଲ୍ଲୀ: ଦେଶରେ ରକ୍ଷାବନ୍ଧନ ଉତ୍ସବ ଆସନ୍ତାକାଲି (ସୋମବାର) ପାଳନ ହେବ। ଭାଇ ଭଉଣୀ ମଧ୍ୟରେ ପ୍ରେମର ପ୍ରତୀକ ଭାବେ ପାଳିତ ହେଉଥିବା ଏହି ଉତ୍ସବକୁ ନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ଚଳିତବର୍ଷ ବଜାରରେ ଚୀନ ନିର୍ମିତ ରାଖୀ ଦେଖିବାକୁ ମିଳୁନାହିଁ। ବ୍ୟବସାୟୀମାନେ ଭାରତ ନିର୍ମିତ ରାଖୀ ବିକ୍ରି ଉପରେ ଗୁରୁତ୍ବ ଦେଉଛନ୍ତି। ଲୋକଙ୍କ ଉତ୍ସାହକୁ ଦେଖିରେ ଜଣାପଡ଼ୁଛି ଯେ ଚଳିତବର୍ଷ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ହେବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଏହି ଆକଳନ କରାଯାଇଛି। ଗତବର୍ଷ ରାଖୀ ବେପାର ପ୍ରାୟ ୧୦ ହଜାର କୋଟି ଟଙ୍କା ରହିଥିଲା।
ବ୍ୟବସାୟୀଙ୍କ କହିବାନୁଯାୟୀ ରାଖୀ ପାଇଁ ଚଳିତବର୍ଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସିଏଆଇଟିର ମହାସଚିବ ତଥା ଚାନ୍ଦିନୀ ଚୌକର ସଚିବ ପ୍ରବୀଣ ଖଣ୍ଡେଲୱାଲାଙ୍କ କହିବାନୁଯାୟୀ, ରାଖୀର ଚାହିଦାକୁ ଦେଖିଲେ ଜଣାପଡ଼ିଛି ଯେ ଚଳିତବର୍ଷ ବ୍ୟବସାୟ ୧୨ ହଜାର କୋଟି ଟଙ୍କାରେ ପହଞ୍ଚିବ। ଅଗଷ୍ଟ ୧୯ରେ ରକ୍ଷାବନ୍ଧନରୁ ଆରମ୍ଭ କରି ନଭେମ୍ବର ୧୫ରେ ତୁଲସୀ ବିବାହ ପର୍ଯ୍ୟନ୍ତ ପାର୍ବଣ ଋତୁ ଚାଲିବ। ଏହି ଅବଧିରେ ଦେଶରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହେବ ବୋଲି ସେ ଆକଳନ କରିଛନ୍ତି।
ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭରତିଆ କହିଛନ୍ତି ଯେ ଚଳିତ ବର୍ଷ ଦେଶର ବିଭିନ୍ନ ସହରର ପ୍ରସିଦ୍ଧ ଉତ୍ପାଦରୁ ମଧ୍ୟ ସ୍ୱତନ୍ତ୍ର ପ୍ରକାରର ରାଖୀ ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକ ହେଲା ନାଗପୁରର ଖଦି ରାଖୀ, ଜୟପୁରର ସଙ୍ଗନେରୀ କଳାକୃତି ରାଖୀ, ମଧ୍ୟପ୍ରଦେଶ ସତନାର ଉଲ୍ ରାଖୀ, ଆଦିବାସୀ ସାମଗ୍ରୀରେ ନିର୍ମିତ ବାଉଁଶ ରାଖୀ, ଆସାମର ଚା’ ପତ୍ର ରାଖୀ, କୋଲକାତାର ଝୋଟ ରାଖୀ, ମୁମ୍ବାଇର ସିଲ୍କ ରାଖୀ, କେରଳର ଖଜୁରୀ ରାଖୀ, କାନପୁରର ମୋତି ରାଖୀ, ବିହାରର ମଧୁବନୀ ଓ ମୈଥିଲି କଳାକୃତିରେ ନିର୍ମିତ ରାଖୀ, ପଣ୍ଡିଚେରୀର ନରମ ପଥର ରାଖୀ, ବାଙ୍ଗାଲୋରର ଫୁଲ ରାଖୀ ଇତ୍ୟାଦି । ଏହା ବ୍ୟତୀତ ତ୍ରିରଙ୍ଗା ରାଖୀ, ବସୁଧୈବ କୁଟୁମ୍ବକମ୍ ରାଖୀ, ଭାରତ ମାତା ରାଖୀ ଇତ୍ୟାଦିର ମଧ୍ୟ ବହୁତ ଚାହିଦା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/sfhsfhfhfs.jpg)