ଆଧାର ଥିଲେ ମାସକୁ ୧୨ ଟିକଟ ବୁକିଂ ସୁଯୋଗ

ନୂଆଦିଲ୍ଲୀ: ଆଇଆର୍‌ସିଟିସି ସହିତ ଆଧାର ସଂଯୋଗ କରିଥିବା ଲୋକମାନେ ମାସକୁ ୧୨ଟି ରେଳ ଟିକଟ ବୁକିଙ୍ଗ କରିପାରିବେ। ରେଳବାଇ ପକ୍ଷରୁ ଆଧାର ସଂଯୋଗ ଥିବା ଯାତ୍ରୀଙ୍କ ପାଇଁ ମାସିକ ଟିକଟ ବୁକିଙ୍ଗ ସୀମାକୁ ୬ରୁ ବଢ଼ାଇ ୧୨ କରାଯାଇଛି। ଏହି ସୁବିଧା ଜରିଆରେ ଅଧିକରୁ ଅଧିକ ଯାତ୍ରୀଙ୍କୁ ଆଇଆର୍‌ସିଟିସିର ଅନଲାଇନ୍‌ ଆକାଉଣ୍ଟ୍‌ ସହିତ ଆଧାର ସଂଯୋଗ କରିବା ପାଇଁ ଉତ୍ସାହିତ କରାଯାଉଛି। ବିନା ଆଧାରରେ ଯେ କେହି ମାସକୁ ୬ଟି ଟିକଟ ବୁକିଙ୍ଗ କରିପାରିବେ। କିନ୍ତୁ ଏହାଠାରୁ ଅଧିକ ଟିକଟ ବୁକିଙ୍ଗ କରିବାକୁ ହେଲେ ଆଇଆର୍‌ସିଟିସି ଅନଲାଇନ୍‌ ଆକାଉଣ୍ଟ୍‌ ସହିତ ଯେ କୌଣସି ଯାତ୍ରୀଙ୍କ ଆଧାରକୁ ସଂଯୋଗ କରିବାକୁ ପଡ଼ିବ। ଆଇଆର୍‌ସିଟି ପୋର୍ଟାଲ୍‌ର ‘ମାଇଁ ପ୍ରୋଫାଇଲ୍‌’ ବର୍ଗରେ ଥିବା ଆଧାର କେଓ୍ଵାଇସିରେ କ୍ଲିକ୍‌ କରି ଯାତ୍ରୀମାନେ ନିଜର ଆଧାରକୁ ସଂଯୋଗ କରିପାରିବେ। ଏହା ପରେ ଏକ ଓଟିପି ଆଧାର ସହିତ ସଂଯୋଗରେ ଥିବା ମୋବାଇଲ୍‌ ନମ୍ବରରେ ପହଞ୍ଚିବ। ସେହି ଓଟିପି ଜରିଆରେ ଆଇଆର୍‌ସିଟିସି ସହିତ ଆଧାରକୁ ସଂଯୋଗ କରାଯାଇପାରିବ। ଟିକଟ ବୁକିଙ୍ଗରେ ହେଉଥିବା ହେରଫେରକୁ ରୋକିବା ପାଇଁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅନେକ ସମୟରେ ମିଥ୍ୟା ଆଇଡି ସୃଷ୍ଟି କରି ଏଜେଣ୍ଟ୍‌୍‌ମାନେ ଅନେକ ଟିକଟ ବୁକିଙ୍ଗ କରୁଛନ୍ତି। ଫଳରେ ପ୍ରକୃତ ଯାତ୍ରୀମାନେ ହଇରାଣ ହେବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ଆଧାର ସଂଯୋଗ ସହାୟତା ନିଆଯାଇଛି।

ସମ୍ବନ୍ଧିତ ଖବର