୧୨୦୦ କୋଟିର ପ୍ରକଳ୍ପ ମଞ୍ଜୁର

୫୧୬୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ରାୟଗଡ଼ାରେ ପୋଷାକ କାରଖାନା ବସାଇବ ଆଦିତ୍ୟ ବିର୍ଲା ଗଞ୍ଜାମର ଉଦୟପୁରରେ ସ୍ବସ୍ତି ଗ୍ରୁପ୍ କରିବ ରିସୋର୍ଟ ଖୋର୍ଧାରେ ହେବ ସିଣ୍ଟେକ୍ସ ପାଣିଟାଙ୍କି କାରଖାନା

ଭୁବନେଶ୍ବର,: ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କତୃର୍ପକ୍ଷ ଆଜି ୧୧୯୭.୯୪ କୋଟି ଟଙ୍କାର ଆଠଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୫୧୬୨ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଆଜି ସଚିବାଳୟ ଠାରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ନିବେଶ ପ୍ରସ୍ତାବଗୁଡ଼ିକ ଇସ୍ପାତ ଓ ଆଲୁମିନିୟମ୍ ଆନୁସଙ୍ଗିକ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ, ଆତିଥେୟତା, ଲୁହା ଓ ଇସ୍ପାତ, ପ୍ଲାଷ୍ଟିକ୍ ପାଇପ୍ ଆଣ୍ଡ୍ ଫିଟିଙ୍ଗ୍‌ସ୍‌ କ୍ଷେତ୍ର ପାଇଁ ଆସିଛି।
ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଦିତ୍ୟ ବିର୍ଲା ଫେସନ୍ ରିଟେଲ୍‌ ପକ୍ଷରୁ ରାୟଗଡ଼ାର ଟିକିରି ଠାରେ ୧୧୪ କୋଟି ଟଙ୍କା ବିନିଯୋଗରେ ଏକ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ହାଇଦ୍ରାବାଦର କଂପାନି ତଥା ଫ୍ରିଡମ୍‌ ବ୍ରାଣ୍ଡ୍‌ ନାମରେ ତେଲ ବିକ୍ରି କରୁଥିବା ‘ଜେମିନି ଏଡିବଲସ୍‌ ଆଣ୍ଡ୍‌ ଫ୍ୟାଟସ୍‌ ଇଣ୍ଡିଆ’ ୩୦୦ କୋଟି ଟଙ୍କା ବିନିଯୋଗରେ ଗଞ୍ଜାମ ଜିଲ୍ଲାରେ ଥିବା ଟାଟା ଷ୍ଟିଲ୍‌ର ଶିଳ୍ପ ପାର୍କରେ ଏକ ରିଫାଇନଡ୍‌ ଭେଜିଟେବୁଲ୍‌ ଅଏଲ୍‌ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ସିଣ୍ଟେକ୍ସ୍‌ ବ୍ରାଣ୍ଡ୍‌ର ପିଭିସି ପାଣି ଟାଙ୍କି ନିର୍ମାଣ କରିବା ପାଇଁ ଜିଏମ୍‌ଏଲ୍‌ଆର୍‌ ଟେକ୍ନୋ ଇଣ୍ଡଷ୍ଟ୍ରିଜ୍‌ ଖୋର୍ଦ୍ଧାର ଛତାବର ଶିଳ୍ପାଞ୍ଚଳରେ ୬୧.୫୦ କୋଟି ଟଙ୍କା ବିନିଯୋଗରେ ଏକ କାରଖାନା ସ୍ଥାପନ କରିବ।
ବେଙ୍ଗାଲୁରୁର କଂପାନି କର୍ଲ-ଅନ୍ ପକ୍ଷରୁ ଖୋର୍ଦ୍ଧା ଠାରେ ୬୫ କୋଟି ଟଙ୍କା ବିନିଯୋଗରେ ଏକ ପିୟୁ ଫୋମ୍ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ଗଞ୍ଜାମର ଉଦୟପୁର ଠାରେ ସ୍ବସ୍ତି ଗ୍ରୁପ୍‌ ପକ୍ଷରୁ ସ୍ଥାପନ କରାଯିବାକୁ ଥିବା ଗୋପାଳପୁର ପାମ୍ ରିସୋର୍ଟ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ‌ରିସୋର୍ଟରେ ୯୮ଟି କୋଠରି ସହିତ ରେସ୍ତୋରାଁ, ସ୍ପା, ଜିମ୍, ସ୍ବିମିଂ ପୁଲ୍, ଇଣ୍ଡୋର୍‌ ଗେମସ୍‌ ଏବଂ କିଡ୍‌ସ୍‌ କ୍ଲବ୍‌ ଭଳି ସୁବିଧା ରହିଛି। ଏହି ପ୍ରକଳ୍ପରେ ୨୨୦ ଲୋକଙ୍କୁ ନିଯୁକ୍ତି ମିଳିବ।
ଆଷ୍ଟ୍ରାଲ୍ ପଲିଟେକ୍‌ନିକ୍‌ କଟକର ରାମଦାସପୁର ଠାରେ ୧୦୯.୮୧ କୋଟି ଟଙ୍କା ବିନିଯୋଗରେ ଏକ ନୂତନ ପ୍ଲାଷ୍ଟିକ୍ ପାଇପ୍‌ ଓ ଫିଟିଙ୍ଗସ୍‌ କାରଖାନା ସ୍ଥାପନ କରିବ। ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ସ୍ପଞ୍ଜ ଆଇରନ୍‌ କାରଖାନାର ସମ୍ପ୍ରସାରଣ ପ୍ରକଳ୍ପକୁ ମଧ୍ୟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ଦୁଇ ପ୍ରକଳ୍ପରେ ୫୦୦ କୋଟି ଟଙ୍କା ପାଖାପାଖି ଖର୍ଚ ହେବ।
ଭଦ୍ରକରେ ଇଣ୍ଡିଆନ୍ ଅଏଲ୍‌ ପକ୍ଷରୁ ୧୯୭୦.୫୨ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯିବାକୁ ଥିବା ଟେକ୍ସଟାଇଲ୍‌ ପାର୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ଉଚ୍ଚ ସ୍ତରୀୟ ମଞ୍ଜୁରି କତୃର୍ପକ୍ଷଙ୍କ ପାଖକୁ ପଠାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର