ଆପତ୍ତି ପଛର ଆଭିମୁଖ୍ୟ କ’ଣ? ତଥ୍ୟର ବିଶ୍ବସନୀୟତା ଉପରେ ୧୦୮ ଅର୍ଥନୀତିଜ୍ଞଙ୍କ ଆପତ୍ତି

୧୨୧ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ପାଲଟା ପ୍ରଶ୍ନ

ନୂଆଦିଲ୍ଲୀ: ସରକାରୀ ତଥ୍ୟରେ ସରକାରଙ୍କ ହସ୍ତକ୍ଷେପକୁ ନେଇ ଆପତ୍ତି ଉଠାଇଥିବା ୧୦୮ ଅର୍ଥନୀତିଜ୍ଞଙ୍କୁ ୧୩୧ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ (ସିଏ) ପ୍ରଶ୍ନ କରିଛନ୍ତି। ଏଭଳି ଆପତ୍ତି ପଛର ଆଭିମୁଖ୍ୟ କ’ଣ ବୋଲି ସିଏମାନେ ଜାଣିବାକୁ ଚାହିଁଛନ୍ତି। ସେମାନେ କହିଛନ୍ତି ଯେ, ସ‌ାରା ଦୁନିଆରେ ସରକାରୀ ତଥ୍ୟକୁ ନେଇ ବିଶେଷଜ୍ଞମାନେ ଆପତ୍ତି ଉଠାଇବା ଏକ ନିୟମିତ ଘଟଣା। ମାତ୍ର ଏକ ନିର୍ଦିଷ୍ଟ ଗୋଷ୍ଠୀର ଅର୍ଥନୀତିଜ୍ଞ ଏକଜୁଟ ହୋଇ ସମସ୍ତ ତଥ୍ୟ ଏବଂ ଦୀର୍ଘଦିନ ଧରି ଉତ୍କର୍ଷ ସହ କାମ କରୁଥିବା ଅନୁଷ୍ଠାନଗୁଡ଼ିକ ଉପରେ ଆଙ୍ଗୁଳି ଉଠାଇବା ସ୍ବାଭାବିକ ପ୍ରକ୍ରିୟା ନୁହେଁ। ପୂର୍ବରୁ ୧୦୮ ଜଣ ଅର୍ଥନୀତିଜ୍ଞ ଏକ ଚିଠି ଜରିଆରେ ତିନିଟି ସରକାରୀ ତଥ୍ୟର ବିଶ୍ବସନୀୟତାକୁ ନେଇ ଆପତ୍ତି ଉଠାଇଥିଲେ। ମୋଟ ଘରୋଇ ଉତ୍ପାଦ (ଜିଡିପି) ହିସାବରେ ବ୍ୟବହାର କରାଯାଉଥିବା ବେସ୍ ଇୟର (ଆଧାର ବର୍ଷ)ରେ ପରିବର୍ତ୍ତନକୁ ନେଇ ସେମାନେ ପ୍ରଶ୍ନ କରିଥିଲେ। ତାହାର ଉତ୍ତର‌ ଦେଇ ୧୩୧ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଜଣାଇଛନ୍ତି ଯେ, ବେସ୍ ଇୟର୍‌ ନିୟମିତ ଭାବେ ପରିବର୍ତ୍ତନ କରାଯାଇଥାଏ। ପୂର୍ବରୁ ୧୯୬୭ ଅଗଷ୍ଟ, ୧୯୭୮ ଜାନୁଆରି, ୧୯୮୮ ଫେବ୍ରୁଆରି, ୧୯୯୯ ଫେବ୍ରୁଆରି ଏବଂ ୨୦୦୬ରେ ବେସ୍ ଇୟରରେ ପରିବର୍ତ୍ତନ କରାଯାଇଥିଲା। ବେସ୍ ଇୟର ବଦଳାଇବା ପଛର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଅର୍ଥନୀତିର ବାସ୍ତବ ଛବିକୁ ସାମ୍ନାକୁ ଆଣିବା। କୌଣସି ନିର୍ଦିଷ୍ଟ ବିଷୟକୁ ନେଇ ଆପତ୍ତି ଉଠାଇବା ବଦଳରେ ଅର୍ଥନୀତିଜ୍ଞଙ୍କ ଏକ ଗୋଷ୍ଠୀ ଯେଉଁଭଳି ଭାବେ ସାଧାରଣରେ ଏକ ଧାରଣା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ତାହାକୁ ସହଜରେ ଗ୍ରହଣ କରିହେଉନାହିଁ। ସେମାନଙ୍କର କ’ଣ ଆଭିମୁଖ୍ୟ ରହିଛି ତାହା ଜାଣିବାର ଆଗ୍ରହ ସୃଷ୍ଟି ହୋଇଛି ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନେ କହିଛନ୍ତି।

ସମ୍ବନ୍ଧିତ ଖବର