୧୨୪୨ କୋଟିର ପ୍ରକଳ୍ପ ମଞ୍ଜୁର: ୩୧୩୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ପୁରୀରେ ୩ଟି ହୋଟେଲ୍‌ ନିର୍ମାଣ କରାଯିବ

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ଆଜି ୧୨୪୨ କୋଟି ଟଙ୍କା ମୂଲ୍ୟର ଆଠଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପୁଞ୍ଜିନିବେଶ ଖଣି ଓ ଧାତବ, ଆଇଟି ଓ ଇଏସ୍‌ଡିଏମ୍, ମାନୁଫାକ୍‌ଚରିଂ, ଲଜିଷ୍ଟିକ୍‌ ଓ ପର୍ଯ୍ୟଟନ କ୍ଷେତ୍ରରେ ହେବ। ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ରାଜ୍ୟ ୩୧୩୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆଜି ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ତିନିଟି ହୋଟେଲ୍ ପ୍ରକଳ୍ପ ରହିଛି। ପ୍ରଭାତ ହସ୍ପିଟାଲିଟି ପକ୍ଷରୁ ପୁରୀରେ ୧୩୫.୬୯ କୋଟି ଟଙ୍କା ବିନିଯୋଗ କରି ଏକ ପଞ୍ଚତାରକ ହୋଟେଲ୍ ଓ ଲକ୍‌ଜୁରି ରିସୋର୍ଟ ସ୍ଥାପନ କରାଯିବ। ସ୍ବସ୍ତି ପ୍ରିମିୟମ୍ ତରଫରୁ ମଧ୍ୟ ପୁରୀରେ ୧୩୪ କୋଟି ଟଙ୍କା ବ୍ୟୟରେ ଏକ ପଞ୍ଚତାରକା ଲକ୍‌ଜୁରି ରିସୋର୍ଟ ସ୍ଥାପନ କରାଯିବ। ହୋଟେଲ୍‌ ଇଡେନ୍ ରକ୍ ତରଫରୁ ଭୁବନେଶ୍ବରରେ ୧୧୭ କୋଟି ଟଙ୍କା ବିନିଯୋଗରେ ଏକ ଚାରି ତାରକା ହୋଟେଲ୍‌ ନିର୍ମାଣ କରାଯିବ। ଏସ୍‌ଏଲ୍‌ଏମ୍‌ ପାଉଡର୍ସ ସୁନ୍ଦରଗଡ଼ର କଲୁଙ୍ଗାରେ ଥିବା ଇଡ୍‌କୋ ଶିଳ୍ପାଞ୍ଚଳରେ ୬୭.୮୩ କୋଟି ଟଙ୍କା ନିବେଶ କରି ଆଟୋମାଇଜଡ୍‌ ଆଇରନ୍ ପାଉଡର୍‌ ପ୍ଲାଣ୍ଟ୍‌ ସ୍ଥାପନ କରିବ। ଓରିକନ୍ ଏଣ୍ଟରପ୍ରାଇଜେସ୍‌ ଖୋର୍ଦ୍ଧାରେ ୧୨୦ କୋଟି ଟଙ୍କା ନିବେଶ କରି ପିଇଟି ଫରଫମର୍ସ ଆଣ୍ଡ୍‌ କ୍ଲୋଜର୍ସ ୟୁନିଟ୍ ସ୍ଥାପନ କରିବ।

ସେହିପରି, ସୂର୍ଯ୍ୟ ଇଣ୍ଟରନ୍ୟାସନାଲ୍ ତରଫରୁ ଇନ୍‌ଫୋଭାଲି ଇଏମ୍‌ସି ପାର୍କରେ ୬୭.୫୦ କୋଟି ଟଙ୍କା ନିବେଶ କରି ସୋଲାର ପ୍ୟାନେଲ୍ ଆଦି ଉତ୍ପାଦନ କରାଯିବ। ଜଗନ୍ନାଥ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍‌ ଲଜିଷ୍ଟିକ୍ସ ପାର୍କସ୍‌ ‌ଟାଙ୍ଗିରେ ଏକ ଲଜିଷ୍ଟିକ୍ସ ପାର୍କରେ ୧୪୦ କୋଟି ଟଙ୍କା ନିବେଶ କରିବ। ପୁରୀର କୃଷ୍ଣପ୍ରସାଦ ଠାରେ ଆଇଆର୍‌ଇଏଲ୍‌ ଇଡ୍‌କଲ୍ ଲିମିଟେଡ୍‌ ୪୬୦ କୋଟି ଟଙ୍କା ନିବେଶ କରି ହେଭି ବିଚ୍ ସ୍ୟାଣ୍ଡସ୍‌ ପ୍ରକଳ୍ପ ସ୍ଥାପନ କରିବ ବୋଲି ଜଣାପଡ଼ିଛି। ଏହି ସମସ୍ତ ପ୍ରକଳ୍ପ ଯେଭଳି ନିର୍ଧାରିତ ସମୟରେ କାର୍ଯ୍ୟକ୍ଷମ ହେବ ତାହା ନିଶ୍ଚିତ କରିବା ଲାଗି ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ଇପିକଲ୍ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବ। ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ବିବରଣୀ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର