ଭୁବନେଶ୍ବର: ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ (ସିଜିଡି) ପ୍ରକଳ୍ପ ଅଧୀନରେ ଗେଲ୍ ପକ୍ଷରୁ କଟକ ଏବଂ ଭୁବନେଶ୍ବରରେ ପ୍ରାୟ ୮୬ ହଜାର ପରିବାର ପାଇଁ ପାଇପ୍ ଜରିଆରେ ଗ୍ୟାସ୍ ସଂଯୋଗ ଭିତ୍ତିଭୂମି ସୃଷ୍ଟି କରାଯାଇ ସାରିଲାଣି। ଏଥିରୁ ଭୁବନେଶ୍ବରେ ପ୍ରାୟ ୬୦ ହଜାର ଏବଂ କଟକରେ ପ୍ରାୟ ୨୬ ହଜାର ପରିବାରଙ୍କ ପାଇଁ ଏହି ସୁବିଧା ସୃଷ୍ଟି କରାଯାଇଛି। ପିଏନଜିଆର୍ବି (ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ) ପକ୍ଷରୁ ଉପରୋକ୍ତ ଦୁଇ ସହର ପାଇଁ ଯଥାକ୍ରମେ ୨୬୯୦୦ ଓ ୨୮୯୦୦ ଘରକୁ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ କମ୍ପାନି ଏ କ୍ଷେତ୍ରରେ ବିଶେଷ ଅଗ୍ରଗତି କରିଛି। ଦ୍ବୈତ ନଗରୀରେ ପ୍ରାୟ ୧୭ ହଜାର ପରିବାର ପାଇପ୍ ଜରିଆରେ ରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି। ସେଥିରୁ ଭୁବନେଶ୍ବରରେ ପ୍ରାୟ ୧୦୫୦୦ ପରିବାର ଏବଂ କଟକରେ ୬୫୦୦ ପରିବାର ରହିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ୧୫ଟି ଏବଂ କଟକ ଜିଲ୍ଲାରେ ୧୩ଟି ସିଏନ୍ଜି ଷ୍ଟେସନ କାର୍ଯ୍ୟ କରୁଛି। ଏଥିସହିତ ଖୋର୍ଦ୍ଧା ଜିଲ୍ଲାରେ ୮ଟି ଏବଂ କଟକ ଜିଲ୍ଲାରେ ୬ଟି ସିଏନ୍ଜି ଷ୍ଟେସନ ନିର୍ମାଣାଧୀନ ରହିଛି। ଦ୍ବୈତ ନଗରୀରେ ଏବେ ପ୍ରାୟ ୧୨୫୦୦ ଗାଡ଼ି ସିଏନ୍ଜିରେ ଚାଲୁଛି। ଭୁବନେଶ୍ବରରେ ଦୈନିକ ହାରାହାରି ୨୦ ହଜାର କିଲୋଗ୍ରାମ ଏବଂ କଟକରେ ଦୈନିକ ହାରାହାରି ୭୫୦୦ କିଲୋଗ୍ରାମ ସିଏନ୍ଜି ବିକ୍ରି ହେଉଛି। ସିଏନ୍ଜି ବ୍ୟବହାର ଯୋଗୁ ପରିବେଶ କମ୍ ପ୍ରଦୂଷିତ ହେଉଛି।