ନୂଆଦିଲ୍ଲୀ: ଦେଶରେ ୧୨୭ଟି ଔଷଧର ଦାମ୍ କମିବ। ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ଗତ ମଙ୍ଗଳବାର ୧୨୭ଟି ଔଷଧର ମୂଲ୍ୟକୁ କମାଇବା ନେଇ ଘୋଷଣା କରିଛି। ଚଳିତବର୍ଷ ଦ୍ବିତୀୟ ଥର ପାଇଁ ପାରାସିଟାମଲ ଭଳି ଔଷଧର ମୂଲ୍ୟ ହ୍ରାସ ପାଇବ। ଅନ୍ୟପକ୍ଷରେ କିଛି ଔଷଧର ମୂଲ୍ୟ ବି ବୃଦ୍ଧି ପାଇବ। ଯେଉଁ ୧୨୭ଟି ଔଷଧର ମୂଲ୍ୟ ହ୍ରାସ ପାଇବ ସେଥିରେ ପାରାସିଟାମଲ, ଆମୋକ୍ସିଲିନ, ରାବିପ୍ରାଜୋଲ ଆଦି ରହିଛି। ପାରାସିଟାମଲ ୬୫୦ର ମୂଲ୍ୟ ଏବେ ୨ ଟଙ୍କା ୩୦ ଥିବାବେଳେ ତାହାକୁ ୧ ଟଙ୍କା ୮୦ ପଇସାକୁ ହ୍ରାସ କରାଯାଇଛି। ମୋକ୍ସିଘ୍ଲୋକ୍ସାସିନ ୪୦୦ ବଟିକାର ମୂଲ୍ୟ ୩୧ ଟଙ୍କା ୫୦ରୁ ୨୨ ଟଙ୍କା ୮୦ ପଇସାକୁ ହ୍ରାସ କରାଯାଇଛି।
ନିମୋନିଆ ଭଳି ରୋଗର ଚିକିତ୍ସାରେ ଏହି ଔଷଧର ବ୍ୟବହାର ହୋଇଥାଏ। ମେଟଫର୍ମିନ ୫୦୦ର ମୂଲ୍ୟ ୧ ଟଙ୍କା ୭୦ରୁ ୧ ଟଙ୍କା ୮୦ ପଇସାକୁ ବୃଦ୍ଧି କରାଯାଇଛି। ଟାଇପ-୨ ଡାଇବେଟିସ ଚିକିତ୍ସାରେ ଉକ୍ତ ଔଷଧ ବ୍ୟବହୃତ ହୋଇଥାଏ। ଚଳିତବର୍ଷ କେତେକ ଔଷଧର ମୂଲ୍ୟ ୫ ଥର ଏବଂ ଅନ୍ୟ କେତେକ ଔଷଧର ମୂଲ୍ୟ ୨ ଥର ହ୍ରାସ କରାଯାଇଛି। ସର୍ବଭାରତୀୟ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନର ସାଧାରଣ ସଂପାଦକ ରାଜୀବ ସିଂଘଲ ଉକ୍ତ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।