୧୨ ବର୍ଷରେ ନିବେଶ ହେବ ୧୨,୮୦୦ କୋଟି ଡଲାର

ମୁଣ୍ଡପିଛା ଇସ୍ପାତ ବ୍ୟବହାରରେ ୧୨% ବୃଦ୍ଧି O ଉତ୍ପାଦନରେ ୬.୭% ବୃଦ୍ଧି

ଭୁବନେଶ୍ବର,: ଦେଶର ଇସ୍ପାତ ଶିଳ୍ପରେ ଆସନ୍ତା ୧୦-୧୨ ବର୍ଷରେ ୧୨,୮୦୦ କୋଟି ଡଲାର ପୁଞ୍ଜିନିବେଶ ହେବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂହ କହିଛନ୍ତି। ସେ କହିଛନ୍ତି, ୨୦୩୦-୩୧ ପାଇଁ ରଖାଯାଇଥିବା ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ଆମକୁ ୨୫୦୦ କୋଟି ଡଲାରର ମେସିନ୍ ଓ ଅନ୍ୟାନ୍ୟ କାରଖାନା ଉପକରଣ ଆମଦାନି କରିବାକୁ ପଡ଼ିବ। ଏହା ବ୍ୟତୀତ ପ୍ରତିବର୍ଷ ଭାରତୀୟ ଇସ୍ପାତ କଂପାନିଗୁଡ଼ିକ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ୫୦୦ ନିୟୁତ ଡଲାରର ସାମଗ୍ରୀ ଆମଦାନି କରୁଥିବା ସେ କହିଛନ୍ତି। ବର୍ତ୍ତମାନ ଦେଶରେ ଉତ୍ପାଦିତ ହେଉଥିବା ୮୬% ଇସ୍ପାତ ବିଆଇଏସ୍‌ ସାର୍ଟିଫିକେସନ୍ ଅଧୀନରେ ଆସୁଛି ବୋଲି ସେ କହିଛନ୍ତି। ସେ ଆକଳନ କରିଛନ୍ତି ଯେ, ଆଗାମୀ ୩-୪ ଦଶନ୍ଧି ପର୍ଯ୍ୟନ୍ତ ଦେଶରେ ଇସ୍ପାତ ବ୍ୟବହାରରେ ଅଭିବୃଦ୍ଧିର ଧାରା ଜାରି ରହିବ। ବିଗତ ଦୁଇ ବର୍ଷରେ ଦେଶରେ ଇସ୍ପାତ ଉପଯୋଗିତାରେ ୭.୯% ଓ ଇସ୍ପାତ ଉତ୍ପାଦନରେ ୬.୭% ବୃଦ୍ଧି ହୋଇଥିବା ସେ କହିଛନ୍ତି। ବିଶ୍ବ ସ୍ତରରେ ମୁଣ୍ଡପିଛା ଇସ୍ପାତ ବ୍ୟବହାର ପରିମାଣ ୨୦୧୪ରେ ୨୦୮ କେଜି ଥିବା ବେଳେ ଭାରତରେ ତାହା ୫୮ କେଜି ଥିଲା। କିନ୍ତୁ ବିଗତ ଚାରି ବର୍ଷ ଭିତରେ ସେଥିରେ ୧୨% ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି।

କନ୍‌ଷ୍ଟ୍ରକ୍‌ସନ୍, ହାଉସିଂ କ୍ଷେତ୍ର ବଢ଼ାଇବ ଇସ୍ପାତ ଚାହିଦା

ଭାରତରେ ବିଗତ ୧୦ ବର୍ଷ ଭିତରେ ଇସ୍ପାତ ଚାହିଦା ଦୁଇ ଗୁଣା ବଢ଼ିଛି। ଆଗାମୀ ଦିନରେ ଏହି ଧାରା ଜାରି ରହିବ। କନଷ୍ଟ୍ରକ୍ସନ୍‌, ଭିତ୍ତିଭୂମି, ନିର୍ମାଣ, ବାସଗୃହ, ସୁଲଭ ବାସଗୃହ ପ୍ରକଳ୍ପ, ଶିଳ୍ପ କରିଡର୍‌ ଓ ସାଗରମାଳା ପ୍ରକଳ୍ପ ଯୋଗୁ ଭାରତରେ ଇସ୍ପାତ ଚାହିଦାରେ ବୃଦ୍ଧିର ଧାରା ଜାରି ରହିବ ବୋଲି ବିଶ୍ବ ଇସ୍ପାତ ପରିଷଦର ମୁଖ୍ୟ-ଇକୋନୋମିକ୍ ଆଣ୍ଡ୍‌ ଷ୍ଟାଟିଷ୍ଟିକାଲ୍ ଆନାଲିସିସ୍‌ ଆଦମ୍ ସିୱଜିକ୍ କହିଛନ୍ତି। ଏଠାରେ ସିଆଇସିଆଇ ଓ ମେକନ୍‌ର ମିଳିତ ସହଯୋଗରେ ଆ‌େୟାଜନ କରାଯାଇଥିବା ‘ଇସ୍ପାତ କ୍ଷେତ୍ର ପାଇଁ କ୍ୟାପିଟାଲ୍ ଗୁଡସ୍‌’ ସମ୍ପର୍କିତ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ଦୀର୍ଘମିଆଦୀ ଭିତ୍ତିରେ ଇସ୍ପାତ ଶିଳ୍ପ ଅନେକ ଆହ୍ବାନ ସାମ୍ନା କରିବାକୁ ପଡ଼ିବ। ସାରା ବିଶ୍ବରେ ବୃଦ୍ଧି ପାଉଥିବା ବୈଷମ୍ୟ, ଅପରିପକ୍ବ ଶିଳ୍ପାୟନ, ପରିବେଶ ସମସ୍ୟା, ବିଭିନ୍ନ ଦେଶର ଅର୍ଥନୈତିକ ବ୍ୟବସ୍ଥା, ଅପ୍ଟିମାଇଜେସନ୍ ଓ ଡିଜିଟାଲାଇଜେସନ୍ ଭଳି ଆହ୍ବାନକୁ ସାମ୍ନା କରି ଇସ୍ପାତ ଶିଳ୍ପକୁ ଆଗକୁ ବଢ଼ିବାକୁ ହେବ। ସାରା ବିଶ୍ବରେ ମୁଣ୍ଡପିଛା ଇସ୍ପାତ ଉପଯୋଗିତା ପରିମାଣ ୨୦୦ କେଜିରୁ ଅଧିକ ଥିବା ବେଳେ ଭାରତରେ ତାହା ୭୮ କେଜି ରହିଛି। ତେଣୁ ଏଠାରେ ଇସ୍ପାତ ଶିଳ୍ପ ପାଇଁ ଅଭିବୃଦ୍ଧିର ବିପୁଳ ସୁଯୋଗ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର