ଖିଲାପୀ ଖଣି ମାଲିକଙ୍କଠାରୁ ୧୨୯୮୩ କୋଟି ଆଦାୟ

ଭୁବନେଶ୍ୱର: ରାଜ୍ୟ ସରକାର ଖିଲାପୀ ଖଣି ମାଲିକଙ୍କଠାରୁ ୧୨,୯୮୨ କୋଟି ୭୦ ଲକ୍ଷ ଟଙ୍କା ଆଦାୟ କରିସାରିଲେଣି। ଅର୍ଥ ପ୍ରଦାନ କରି ନଥିବା ଖଣି ଲିଜ୍‌ଧାରୀଙ୍କଠାରୁ ବାକିଆ ଅର୍ଥ ଆଦାୟ ଲାଗି ଉଦ୍ୟମ ଚାଲିଛି। ସୁପ୍ରିମକୋର୍ଟରେ ଚାଲିଥିବା ଏ ସଂକ୍ରାନ୍ତ ମାମଲାରେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଏନେଇ ଚଳିତମାସ ୬ ତାରିଖରେ ସତ୍ୟପାଠ ଦାଖଲ କରାଯାଇଛି। ଚଳିତବର୍ଷ ଜୁନ୍‌ ୩୦ ସୁଦ୍ଧା ମୋଟ ୧୦,୧୮୯.୮୩ କୋଟି ଟଙ୍କା ଆଦାୟ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବା ପରେ ବାକିଆ ଅର୍ଥ ଆଦାୟ ଲାଗି ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ରାଜ୍ୟ ସରକାର ଓପିଡିଆର୍‌ ଆଇନ ୧୯୬୨ ଆଧାରରେ ବାକିଆ ଅର୍ଥ ଆଦାୟ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ତଦନୁଯାୟୀ ୫୪ଟି ଖିଲାପକାରୀ ଖଣି ଲିଜ୍‌ଧାରୀଙ୍କୁ ନୋଟିସ ପ୍ରଦାନ କରାଯାଇଥିଲା। ୩୨ଟି ନୋଟିସ୍‌କୁ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ରିଭିଜନାଲ ଅଥରିଟିଙ୍କ ନିକଟରେ ଚାଲେଞ୍ଜ କରାଯାଇଥିଲା। ଓଡ଼ିଶା ହାଇକୋର୍ଟରେ ୬ଟି ମାମଲା ରୁଜୁ ହୋଇଥିବା କେନ୍ଦ୍ରୀୟ ରିଭିଜନାଲ ଅଥରିଟିଙ୍କ ନିକଟକୁ ୨୬ଟି ମାମଲା ଯାଇଥିଲା। ଓଡ଼ିଶା ହାଇକୋର୍ଟ କୌଣସି ମାମଲାରେ ରହିତାଦେଶ ଦେଇ ନଥିବାବେଳେ କେନ୍ଦ୍ରୀୟ ସଂସ୍ଥା ୨୧ଟିରେ ରହିତାଦେଶ ପ୍ରଦାନ କରିଥିଲେ। ଏହାପରେ ୮ଟି ସଂସ୍ଥା ସମସ୍ତ ବାକିଆ ଅର୍ଥ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର