ଏପ୍ରିଲରେ ୧୩.୪୭ ନିୟୁତ ଟନ୍ ଲୁହାପଥର ଉତ୍ତୋଳନ

କେନ୍ଦୁଝର: ଦୀର୍ଘ ମାସ ଧରି ଖଣିଜ ଉତ୍ତୋଳନ ପ୍ରକ୍ରିୟା ବନ୍ଦ ଥିବା ବେଳେ ଗତ ଏପ୍ରିଲ ମାସରେ ଓଡ଼ିଶାରୁ ରେକର୍ଡ ପରିମାଣର ଲୁହାପଥର ଉତ୍ତୋଳନ କରାଯାଇଛି। ଏପ୍ରିଲ ମାସରେ ମୋଟ ୧୩.୪୭ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ ହୋଇଥିବା ଜଣାଯାଇଛି। ଯାହାକି ଗତ ୧୪ମାସ ମଧ୍ୟରେ ସର୍ବାଧିକ। ଖଣି ନିର୍ଦ୍ଦେଶାଳୟର ସୂଚନ‌ା ଅନୁସାରେ, ସମଗ୍ର ଭାରତ ବର୍ଷରେ ଯେତିକି ଲୁହାପଥର ଉତ୍ତୋଳନ ହୋଇଥାଏ, ସେଥିମଧ୍ୟରୁ ଅଧା ଲୁହାପଥର କେବଳ ଓଡ଼ିଶାରୁ ଉତ୍ତୋଳନ ହୋଇଥାଏ। ଓଡ଼ିଶାର ଯୋଡା ଖଣିମଣ୍ଡଳର ଲୁହାପଥର ଖଣିଗୁଡିକର ଏହି ଉତ୍ତୋଳନ ପଛରେ ଏକ ପ୍ରମୁଖ ଭୂମିକା ରହିଛି। ଏପ୍ରିଲରେ ଯେଉଁ ୧୩.୪୭ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ କରାଯାଇଛି, ସେଥିରେ ଯୋଡା ଖଣିମଣ୍ଡଳ ଅଧୀନ ଜେଏସ୍‌ଡବ୍ଲ୍ୟ ୨.୦୩ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ କରିଥିବା ବେଳେ ଓଏମ୍‌ସି୧.୮୨ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ କରିଥିଲା। ‌ଏହା ପଛକୁ ଟାଟା ଷ୍ଟିଲର ଖଣି ୧.୫୫ ନିୟୁତ ଟନ୍‌, ସିରାଜୁଦ୍ଦିନ ମାଇନସ୍‌ ୧ ନିୟୁତ ଟନ୍‌ ଉତ୍ତୋଳନ କରିଥିବା ବେଳେ ସେଲ୍‌ ୧.୧ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ କରିଥିଲା।

ପୂର୍ବରୁ ଗତବର୍ଷ କରୋନା କଟକଣା କାରଣରୁ ଲୁହାପଥର ଉତ୍ତୋଳନ ଏବଂ ପରିବହନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଚଳିତ ବର୍ଷ ଏଥିରେ ସୁଧାର ଆସିଛି। ଶେଷଥର ପାଇଁ ୨୦୨୦ ଫେବ୍ରୁଆରିରେ ଅର୍ଥାତ କରୋନା କଟକଣା ପୂର୍ବରୁ ୧୫ ନିୁତ ଟନ୍‌ ଲୁହାପଥର ଉତ୍ତୋଳନ ହୋଇଥିଲା। ଏହାପରେ କରୋନା କଟକଣା ପାଇଁ ଏଥିରେ ମାନ୍ଦାବସ୍ଥା ଆସିଥିଲା। ମାତ୍ର ଗତ ଜାନୁଆରି ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧୀରେଧୀରେ ଲୁହାପଥର ଉତ୍ତୋଳନ ବୃଦ୍ଧି ପାଇବା ପରେ ଏପ୍ରିଲରେ ରେକର୍ଡ ଉତ୍ତୋଳନ କରିଛି। ତୁଳନାତ୍ମକ ଭାବେ ୨୦୨୦ ଏପ୍ରିଲ ମାସରେ ମାତ୍ର ୫.୭୦ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ ‌ହୋଇଥିବା ବେଳେ ୨୦୨୧ ଏପ୍ରିଲରେ ୧୩.୪୭ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ ହୋଇଛି।

ସମ୍ବନ୍ଧିତ ଖବର