୧୩.୫ କୋଟି ବେକାର ହୋଇଯିବେ, ଦେଶରେ ୧୨ କୋଟି ଲୋକ ଗରିବ ହୋଇଯିବେ

ଆର୍ଥର ଡି ଲିଟିଲ୍‌ ସଂସ୍ଥାର ଆକଳନ, ଅନ୍ୟ ଏକ ଆକଳନରେ ୨୬ କୋଟି ଭାରତୀୟ ଗରିବ ହୋଇଯିବେ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କେବଳ ଲୋକଙ୍କ ଜୀବନ ନେଉନାହିଁ ଅର୍ଥନୀତିକୁ ମଧ୍ୟ ଦୁର୍ବଳ କରିଚାଲିଛି। ଏହା ଦିନକୁ ଦିନ ଅର୍ଥନୀତି ପାଇଁ ଘାତକ ସାବ୍ୟସ୍ତ ହେବାରେ ଲାଗିଛି। କୋଭିଡ୍‌-୧୯ ପ୍ରଭାବରେ ଭାରତରେ ୧୩.୫ କୋଟି ଲୋକ ବେକାର ହୋଇଯିବେ। ଏଥିସହିତ ୧୨ କୋଟି ଲୋକ ଗରିବ ହୋଇଯିବେ ବା ଦାରିଦ୍ର୍ୟ ସୀମା ରେଖା ତଳକୁ ଚାଲିଯିବେ। ଆମେରିକାର ଆର୍ଥର ଡି ଲିଟିଲ୍‌ ନାମକ ସଂସ୍ଥା ପକ୍ଷରୁ ଏଭଳି ଭୟଙ୍କର ଆକଳନ କରାଯାଇଛି।

କୋଭିଡ୍‌-୧୯‌ ଯୋଗୁଁ ଲୋକଙ୍କ ଆୟ, ବ୍ୟୟ ଓ ସଞ୍ଚୟ ଗୁରୁତର ମାତ୍ରାରେ ପ୍ରଭାବିତ ହେବ। ଲୋକଙ୍କ ମୁଣ୍ଡପିଛା ଆୟ କମିବ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ମଧ୍ୟ ସାଂଘାତିକ ଭାବେ କମିଯିବ ବୋଲି ଏହି ଅନ୍ତର୍ଜାତୀୟ ମ୍ୟାନେଜମେଣ୍ଟ କନ୍‌ସଲ୍‌ଟିଂ ଫାର୍ମ ପକ୍ଷରୁ କୁହାଯାଇଛି। ଭାରତରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ି ଚାଲିଛି ସେଥିରୁ ଜଣାଯାଉଛି ଯେ ଏଠାରେ ଇଂରାଜୀ ଅକ୍ଷର ‘ଡବ୍ଲ୍ୟୁ’ ଆକୃତିର ସୁଧାରର ସମ୍ଭାବନା ସବୁଠୁ ଅଧିକ। ଅର୍ଥାତ୍ ଭାରତରେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଜିଡିପି ୧୦.୮ ପ୍ରତିଶତ ସଙ୍କୁଚିତ ହେବ ଏବଂ ୨୦୨୧-୨୨ରୋ ଅଭିବୃଦ୍ଧି ହାର ୦.୮ ପ୍ରତିଶତ ରହିବ।

ଏହି ରିପୋର୍ଟର ନାମ କୋଭିଡ୍‌-୧୯ ଦ୍ବାରା ସୃଷ୍ଟି ହୋଇଥିବା ଆର୍ଥିକ ଆହ୍ବାନକୁ ଅତିକ୍ରମ କରିବା: ଭାରତର କୋଭିଡ୍‌-ପରବର୍ତ୍ତୀ ଅର୍ଥନୀତିରେ ସୁଧାର ଆଣିବା ଓ ସୁଦୃଢ଼ କରିବା’ ରହିଛି। ଜିଡିପିରେ ହ୍ରାସ ନେଇ ଯେଉଁ ଆକଳନ କରାଯାଇଛି ତାହାର ସର୍ବାଧିକ ଖରାପ ପ୍ରଭାବ ନିଯୁକ୍ତି, ଦାରିଦ୍ର୍ୟ ଦୂରୀକରଣ, ମୁଣ୍ଡପିଛା ଆୟ ଆଦି କ୍ଷେତ୍ରରେ ସାଂଘାତିକ ଭାବେ ଅନୁଭୂତ ହେବ। ଦେଶରେ ବେକାରି ହାର ୭.୬ ପ୍ରତିଶତରୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇପାରେ। ଫଳରେ ୧୩୬ ନିୟୁତ ବା ୧୩.୬ କୋଟି ଭାରତୀୟ ସେମାନଙ୍କ ଚାକିରି ହରାଇବେ। ବେକାରିଙ୍କ ସଂଖ୍ୟା ୧୭୪ ନିୟୁତ ବା ୧୭.୪ କୋଟିକୁ ବୃଦ୍ଧି ପାଇବ। ଦେଶରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକୁ ଧକ୍କା ଲାଗିବ। ଅନେକଙ୍କ ଭାଗ୍ୟ ଖରାପ ହୋଇଯିବ। ୧୨ କୋଟି ଲୋକ ଗରିବ ହୋଇଯିବେ। ତେବେ ସେଥିରୁ ୪ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଉକ୍ତ ରିପୋର୍ଟର ଅଗ୍ର ଲେଖକ ତଥା ସଂସ୍ଥାର ଏମ୍‌ଡି ତଥା ସିଇଓ (ଭାରତ ଓ ଦକ୍ଷିଣ ଏସିଆ) ବାର୍ନିକ୍ ଚିତ୍ରନ୍ ମୈତ୍ର କହିଛନ୍ତି, କୋଭିଡ୍‌-୧୯ ପାଇଁ ଭାରତକୁ ୧ ଲକ୍ଷ କୋଟି ଆମେରିକୀୟ ଡଲାରର ଆର୍ଥିକ ଧକ୍କା ସହିବାକୁ ପଡ଼ଇବ। ‌ତେବେ ଭାରତକୁ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ଦେଖୁଥିବା ସ୍ବପ୍ନକୁ ସାକାର କରିବା ପାଇଁ ଆକ୍ରମଣାତ୍ମକ ଅର୍ଥନୈତିକ ‌ଆଭିମୁଖ୍ୟ ପୋଷଣ କରିବାକୁ ହେବ। ଅର୍ଥନୀତି ପାଇଁ ତୁରନ୍ତ ପ୍ୟାକେଜ ପ୍ରଦାନ ସହିତ ଢାଞ୍ଚାଗତ ସଂସ୍କାରର ଆବଶ୍ୟକତା ରହିଛି। ‌ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକାରୀ ‘ଆତ୍ମ ନିର୍ଭର ଭାରତ ଅଭିଯାନ’କୁ ସେ ପ୍ରଶଂସା କରିଛନ୍ତି। ଏହା ଏକ ଉତ୍ତମ ଅଭିଯାନ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜାତିସଂଘ ଓ ଅକ୍ସଫୋର୍ଡ ଦାରିଦ୍ର୍ୟ ଓ ମାନବ ବିକାଶ ପଦକ୍ଷେପ (ଓପିଏଚ୍‌ଆଇ) ପକ୍ଷରୁ କରାଯାଇଥିବା ଆକଳନ ଆହୁରି ସାଂଘାତିକ। କୋଭିଡ୍‌-୧୯ ଯୋଗୁଁ ଭାରତରେ ୨୬ କୋଟି ଲୋକ ଗରିବ ହୋଇଯିବେ ବୋଲି ଏମାନେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଏମ୍‌ପିଆଇ ୧୯ରେ ଗତବର୍ଷ ଦର୍ଶାଯାଇଥିଲା ଯେ ଭାରତରେ ୨୦୦୬ରୁ ୨୦୧୬ ମଧ୍ୟରେ ୨୭୧ ନିୟୁତ ଅର୍ଥାତ୍ ୨୭.୧ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠି ପାରିଥିଲେ।

ସମ୍ବନ୍ଧିତ ଖବର