ଭୁବନେଶ୍ବର: ରାଜ୍ୟରେ ଥିବା ୮୩୬ଟି ବ୍ୟକ୍ତିଗତ ଜମା ଖାତାଧାରୀଙ୍କ ପାଖରେ ୨୦୧୮ ମାର୍ଚ ୩୧ ସୁଦ୍ଧା ୧୩,୫୦୯.୩୫ କୋଟି ଟଙ୍କା ଖର୍ଚ ନହୋଇ ପଡ଼ିରହିଥିଲା। ସେଥି ମଧ୍ୟରୁ ଓଡ଼ିଶା ମିନେରାଲ୍ ବିୟରିଂ ଏରିଆଜ୍ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ (ଓଏମ୍‌ବିଏଡିସି)ର ବ୍ୟକ୍ତିଗତ ଜମା ଖାତାରେ ସର୍ବାଧିକ ୧୧,୫୬୮.୧୮ କୋଟି ଟଙ୍କା (୮୫.୬୩ ପ୍ରତିଶତ) ଥିଲା। ଏହି ଖାତାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଖୋଲାଯାଇଥିଲା। ବେଆଇନ ଖଣି ଖନନ କାର୍ଯ୍ୟକଳାପର କ୍ଷତିପୂରଣ ଭାବେ ଏହି ଖାତା ଅସୁଲ କରାଯାଇଥିଲା। ଏହି ଟଙ୍କା ପୀଡ଼ିତ ଜିଲ୍ଲାଗୁଡ଼ିକର ଆଦିବାସୀ କଲ୍ୟାଣ ଓ ସେହି ଅଞ୍ଚଳଗୁଡ଼ିକର ଉନ୍ନତି ବାବଦରେ ଖର୍ଚ୍ଚ ହେବାର ଥିଲା। ୨୦୧୯ ଫେବ୍ରୁଆରି ମାସ ଶେଷ ସୁଦ୍ଧା ଏହି ଖାତାରେ ଥିବା ପାଣ୍ଠିରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନଥିଲା। ଏହି ଖାତା ବ୍ୟତୀତ ନଗର ସଂସ୍ଥାଗୁଡ଼ିକର ୧୧୩ଟି ବ୍ୟକ୍ତିଗତ ଖାତାରେ ୭୪୩ କୋଟି ଟଙ୍କା ଜମା ରହିଥିଲା।