ନୂଆଦିଲ୍ଲୀ: ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସାମିଲ ଥିବା ୧୩୮ଟି ଜାଲ୍ ସଂସ୍ଥାକୁ ଓଡ଼ିଶାରେ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାର ଜାରି କରିଥିବା ଏକ ତଥ୍ୟରୁ ଏହା ଜଣାପଡ଼ିଛି। ୨୦୨୩ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଓଡ଼ିଶାରେ ୧୩୮ ଜାଲ୍ କଂପାନି ଚିହ୍ନଟ କରାଯାଇଥିବା ବେଳେ ସେମାନେ ୩୩୭ କୋଟି ଟଙ୍କାର ଟିକସ ଠକେଇ କରିଥିବା ସନ୍ଦେହ କରାଯାଉଛି। ତେବେ ଟିକସ କର୍ତ୍ତୃପକ୍ଷ ୭ କୋଟି ଟଙ୍କାକୁ ଅଟକାଇବା/ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। କିନ୍ତୁ ରାଜ୍ୟରେ ଏହିଭଳି ମାମଲାରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଠକେଇ କରୁଥିବା ଜାଲ୍ ସଂସ୍ଥାଗୁଡ଼ିକୁ ଚିହ୍ନଟ କରିବା ଲାଗି ୨୦୨୩ ମେ’ ମଧ୍ୟଭାଗରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଅଭିଯାନ ଚାଲିଛି। ସେଥିରେ କେବଳ ୨୦୨୩ରେ ସର୍ବଭାରତୀୟ ସ୍ତରରେ ୨୯,୨୭୩ ଜାଲ୍ କଂପାନି ଚିହ୍ନଟ କରାଯାଇଛି ଯାହା ଜରିଆରେ ୪୪,୦୧୫ କୋଟି ଟଙ୍କାର ଟିକସ ଠକେଇ ହୋଇଛି। ଏହି ଅଭିଯାନରେ ୩୮୦୨ କୋଟି ଟଙ୍କାର ଆଇଟିସିକୁ ଅଟକା ଦିଆଯାଇଥିବା ବେଳେ ୮୪୪ କୋଟି ଟଙ୍କା ଫେରାଇ ଅଣାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମାମଲାରେ ଦେଶରେ ୧୨୧ ଜଣଙ୍କୁ ଗିରଫ କରାଯାଇଛି। ୨୦୨୩ରେ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ୪୧୫୩ଟି ଜାଲ୍ କଂପାନି ଚିହ୍ନଟ କରାଯାଇଥିଲା। ସେମାନେ ୧୨,୦୩୬ କୋଟି ଟଙ୍କାର ଟିକସ ଠକେଇ କରିଥିବା ସନ୍ଦେହ କରାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp