ଭୁବନେଶ୍ବର: ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ମୋଟ ୧୯୨.୪୧ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୧୩୮୬.୦୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି। କମିଟି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ୯୯ ମେଗାୱାଟ୍ କ୍ଷମତାର ପବନ ଶକ୍ତି ପ୍ରକଳ୍ପ, ୯୧.୭୭ ମେଗାୱାଟ୍ କ୍ଷମତାର ୫ଟି ଭୂମି ଆଧାରିତ ସୌରଶକ୍ତି ପ୍ରକଳ୍ପ ଏବଂ ୧.୬୪ ମେଗାୱାଟ୍ କ୍ଷମତାର ଗୋଟିଏ ରୁଫ୍ ଟପ୍ ସୌରଶକ୍ତି ପ୍ରକଳ୍ପ ରହିଛି। 

Advertisment

ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୪୪୧.୭୯ ମେଗାୱାଟ  ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ୯୭୮୧.୪୭ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହି ପୁଞ୍ଜି ନିବେଶ ପ୍ରସ୍ତାବ ଗୁଡ଼ିକ ରାଜ୍ୟର ଶକ୍ତି କ୍ଷେତ୍ରରେ ରୂପାନ୍ତରଣ  ଆଣିବା ସହ ସବୁଜ ଶକ୍ତି ପ୍ରକଳ୍ପର ବିକାଶକୁ ସୁଦୃଢ଼ କରିବ। ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ନିରନ୍ତର ପ୍ରୟାସ ଫଳରେ ସବୁଜ ଶକ୍ତି ବୃଦ୍ଧି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ପରିବେଶ ସୁରକ୍ଷା ଦିଗରେ ସ୍ଥିର ହୋଇଥିବା ଦୀର୍ଘସ୍ଥାୟୀ ଲକ୍ଷ୍ୟ ପୂରଣ ସହିତ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ। ଶକ୍ତି ବିଭାଗ ଏବଂ ଏହାର ପ୍ରମୁଖ ସଂସ୍ଥା ଗ୍ରିଡ୍‌କୋ ମାଧ୍ୟମରେ ରାଜ୍ୟ ସରକାର ଓଡିଶାରେ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ।