ଷ୍ଟେଟ୍‌ ବ୍ୟାଙ୍କରେ ୧୪ ହଜାର ନୂଆ ନିଯୁକ୍ତି, ଭିଆର୍‌ଏସ୍‌ ଖର୍ଚ୍ଚ କାଟ ପଦକ୍ଷେପ ନୁହେଁ: ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଚଳିତ ବର୍ଷ ୧୪ ହଜାର ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରିବା ଯୋଜନା ପ୍ରସ୍ତୁତ କରିଛି। ବ୍ୟାଙ୍କରେ ଏବେ ଅଢ଼େଇ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେଥିରେ ଆଉ ୧୪ ହଜାର ଲୋକ ଯୋଡ଼ି ହେବେ। ପ୍ରାୟ ୩୦ ହଜାର କର୍ମଚାରୀଙ୍କ ପାଇଁ ବ୍ୟାଙ୍କ ଏକ ସ୍ବେଚ୍ଛାକୃତ ଅବସର ସ୍କିମ୍ ପ୍ରସ୍ତୁତ କରିଥିବା ନେଇ ଗତକାଲି ରିପୋର୍ଟ ଆସିଥିଲା। ଏହା ଉପରେ ସ୍ପଷ୍ଟୀକରଣ ଦେଇ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ ତାହାକୁ ଖର୍ଚ୍ଚ କାଟ ପଦକ୍ଷେପ ଭାବେ ବିଚାର କରିବା ଅନୁଚିତ। ଏହି ସ୍କିମ୍‌କୁ ଭୁଲ ଭାବେ ବ୍ୟାଖ୍ୟା କରାଯାଇଛି। ଖର୍ଚ୍ଚ କାଟ କରିବା ଏବଂ କର୍ମଚାରୀ ସଂଖ୍ୟା ହ୍ରାସ କରିବା ଏହାର ଉଦ୍ଦେଶ୍ୟ ବୋଲି ପ୍ରଚାର କରାଯାଇଛି। ମାତ୍ର ଷ୍ଟେଟ୍‌ ବ୍ୟାଙ୍କ କର୍ମଚାରୀଙ୍କ ହିତ ପାଇଁ ସବୁ ବେଳେ କାର୍ଯ୍ୟ କରେ।

ଏହା ନିଜର ବ୍ୟବସାୟକୁ ସମ୍ପ୍ରସାରଣ କରୁଥିବାରୁ ତାହାର ପରିଚାଳନା ପାଇଁ ଅଧିକ ଲୋକ ଦରକାର। ବ୍ୟାଙ୍କ ଚଳିତ ବର୍ଷ ଆଉ ୧୪ ହଜାର କର୍ମଚାରୀଙ୍କୁ ନିଯୁକ୍ତ କରିବା ଉପରେ ବିଚାର କରୁଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଯେଉଁ କର୍ମଚାରୀମାନେ ବ୍ୟାଙ୍କ ଚାକିରି ବାହାରେ କିଛି କରିବା ଲାଗି ଚାହୁଛନ୍ତି ସେମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା ହେଉଛି ପ୍ରସ୍ତାବିତ ଭିଆର୍‌ଏସ୍‌ ସ୍କିମ୍‌ର ମୂଳ ଲକ୍ଷ୍ୟ। ପେସାରେ ଅଭିବୃଦ୍ଧି ସୀମିତ ହୋଇଯାଇଥିବା, ଚଳପ୍ରଚଳରେ ସମସ୍ୟା ଅନୁଭବ କରୁଥିବା, ଶାରିରୀକ ଅସୁସ୍ଥତା କିମ୍ବା ପରିବାରର ସ୍ଥିତି ଯୋଗୁଁ ଯେଉଁ କର୍ମଚାରୀମାନେ ଭିନ୍ନ ଭାବେ ଆଗକୁ ବଢ଼ିବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ଏହି ସ୍କିମ୍ ଅଣାଯାଇଛି ‌‌‌‌ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର