କୃଷି-ବିପଣନ ପାଇଁ ୧୪୧୨ କୋଟି

ଭୁବନେଶ୍ବର: ରାଜ୍ୟରେ କୃଷି ବ୍ୟବସାୟ କ୍ଷେତ୍ରରେ ମୋଟ ୧୪୧୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏଥିରେ ରିଲାଏନ୍‌ସ ଫ୍ରେସ୍‌ର ୩୦୦ କୋଟି, ଆଇଟିସିର ୫୨୦ କୋଟି, ପଣ୍ୟାଗାର ବିକାଶ ଓ ନିୟାମକ କର୍ତ୍ତୃପକ୍ଷ(ଡବ୍‌ଲ୍ୟୁଡିଆର୍‌ଏ)ର ୩୦୦ କୋଟି, କଣ୍ଟ୍ରାକ୍ଟ ଫାର୍ମିଂ କ୍ଷେତ୍ରରେ ୧୧୨ କୋଟି ପ୍ରମୁଖ ନିବେଶ ରହିଛି ବୋଲି ଆଜି ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୧୮’ର ଚତୁର୍ଥ ଦିବସରେ ଯୋଗଦେଇ ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେହିଭଳି ଓଡ଼ିଶାର ଉଦ୍ୟାନକୃଷି ଉତ୍ପାଦନର ମାନବୃଦ୍ଧି ଓ ବ୍ୟବସାୟ ଲକ୍ଷ୍ୟରେ ‘କଳିଙ୍ଗ ପିଓର’ ନାମରେ ଏକ ଓଡ଼ିଆ ବ୍ରାଣ୍ଡ ପ୍ରତିଷ୍ଠା କରାଯାଇ ଏହା ମାଧ୍ୟମରେ ଚାଷୀଙ୍କଠାରୁ ଆମ୍ବ, କଦଳୀ, କମଳା, ଲିଚୁ ଭଳି ଫଳ ସଂଗ୍ରହ କରାଯିବ ଏବଂ ଦେଶବିଦେଶରେ ବିକ୍ରି କରାଯିବ। କଣ୍ଟ୍ରାକ୍ଟ ଫାର୍ମିଂ ଜରିଆରେ ଚାଷୀଙ୍କୁ ସୁବିଧା ସୁଯୋଗ ଓ ଜ୍ଞାନକୌଶଳ ଯୋଗାଇ ଦେବାପାଇଁ ୧୧୨ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଯେଉଁ ୨ଟି ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି ସେଥିରୁ ଗୋଟିଏ ‌ଓୟାର ହାଉସିଂ ଡେଭ୍‌ଲପମେଣ୍ଟ ଆଣ୍ଡ ରେଗୁଲେଟୋରି ଅଥରିଟି, ନୂଆଦିଲ୍ଲୀ ଓ ସମବାୟ ବିଭାଗ ମଧ୍ୟରେ ହୋଇଛି। ରାଜ୍ୟରେ ଧାନ, ଗହମ, ମୁଗ, ବିରି, ମାଣ୍ଡିଆ ଭଳି ଶୁଷ୍କ ଖାଦ୍ୟଶସ୍ୟ ମହଜୁଦ କରିବା ଲକ୍ଷ୍ୟରେ ଉନ୍ନତମାନର ଭଣ୍ଡାର ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଦ୍ବିତୀୟ ଏମ୍‌ଓୟୁ ନାଫେଡ ଓ ସମବାୟ ବିଭାଗ ମଧ୍ୟରେ ସ୍ବାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଚାଷୀଙ୍କଠାରୁ ଡାଲିଜାତୀୟ, ତୈଳବୀଜ, ଚା, କଫି ଆଦି କ୍ରୟ ଏବଂ ଚାଷୀଙ୍କୁ ସାର ଯୋଗାଇ ଦିଆଯିବ ‌ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସହିତ ଆଗାମୀ ଦିନରେ ଡାବର, ଷ୍ଟାର ଏଗ୍ରି, ଏନ୍‌ସିଏମ୍‌ଏଲ, ଜାପ୍‌ଫା କମ୍‌ଫିଡ୍‌, ସଫଲ୍ ଭଳି କଂପାନିମାନେ ପୁଞ୍ଜିନିବେଶ ପାଇଁ ସହମତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର