ଚାକିରିରେ ଯୋଗଦେଲେ ୧୪୭ ଅଡିଟର

ନିଷ୍ଠାର ସହ କାମ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ଅର୍ଥ ବିଭାଗରେ ଆଜି ୧୪୭ ସାଧାରଣ କ୍ୟାଡରର ଅଡିଟ ଚାକିରିରେ ଯୋଗ ଦେଇଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ନବନିଯୁକ୍ତ ଅଡିଟରମାନଙ୍କୁ ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ କଠିନ ପରିଶ୍ରମ କର। ନୂଆ ପ୍ରଯୁକ୍ତିକୁ ଗ୍ରହଣ କର। ବାଛିଥିବା କାମ ପାଇଁ ନିଜର ଶତ ପ୍ରତିଶତ ପ୍ରଦାନ କରିବାକୁ ଉଦ୍ୟମ କର। ‌ଆମ ବେତନର ପ୍ରତିଟି ପଇସା ହେଉଛି ଲୋକମାନେ ଦେଉଥିବା ଟଙ୍କାରୁ ଆସୁଛି ବୋଲି ମନେ ରଖିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଛନ୍ତି। ଅଡିଟର ଭାବେ ସରକାରୀ ବ୍ୟୟର ସୁବିନିଯୋଗକୁ ନିଶ୍ଚିତ କରିବାକୁ ସେ କହିଛନ୍ତି।

ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ୫-ଟି ଓ ମୋ ସରକାର ରାଜ୍ୟରେ ଉତ୍ତମ ପ୍ରଶାସନର ପ୍ରତୀକ ହୋଇଛି। କଲ୍ୟାଣମୂଳକ କାମରେ ସରକାର ବିପୁଳ ବ୍ୟୟ କରୁଥିବାରୁ ତାହା ଯେଭଳି ସଠିକ୍ ଦିଗରେ ଖର୍ଚ୍ଚ ହେଉଛି ତାହା ନିଶ୍ଚିତ କରିବାକୁ ସେ ଅଡିଟରମାନଙ୍କୁ କହିଛନ୍ତି। ଆର୍ଥିକ ଶୃଙ୍ଖଳା ବଜାୟରଖିବା ଲାଗି ନବନିଯୁକ୍ତ ଅଡିଟରମାନଙ୍କୁ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି। ୫-ଟି ସଚିବ ଭି କେ ପାଣ୍ଡିଆନ କହିଛନ୍ତି ଯେ ନିଯୁକ୍ତିରେ ଯେଉଁଭଳି ସ୍ବଚ୍ଛତା ରହିଥିଲା କାମରେ ମଧ୍ୟ ସମାନ ସ୍ବଚ୍ଛତା ପ୍ରଦର୍ଶନ କରିବାକୁ ହେବ। ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ଅନୁସାରେ କାମ କରିବା ଏବଂ ସରକାରୀ ବ୍ୟୟରେ ସ୍ବଚ୍ଛତା ବଜାୟ ରଖିବାକୁ ସେ ଅଡିଟରମାନଙ୍କୁ କହିଛନ୍ତି। ଏହି ଅବସରରେ ତିନି ଜଣ ନବନିଯୁକ୍ତ ଅଡିଟର ଷ୍ଟେଫି ମାଲିଆ, ଜନ୍ମେଜୟ ମହାନ୍ତ ଓ ମମତା ସାହୁ ନିଯୁକ୍ତି ପ୍ରକ୍ରିୟାରେ ରହିଥିବା ସ୍ବଚ୍ଛତାକୁ ନେଇ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର