କର୍ମଚାରୀଙ୍କୁ ୧୪ ଲକ୍ଷ ଟଙ୍କାର ବଡ଼ଦିନ ବୋନସ୍‌

O ୨୦୦ କର୍ମଚାରୀଙ୍କୁ ମିଳିବ O ୭୫% ପେନ୍‌ସନ୍‌ ପାଇଁ ଯିବ

ନୂଆଦିଲ୍ଲୀ: ଆମେରିକାର ଏକ କମ୍ପାନି ଏହାର କର୍ମଚାରୀମାନଙ୍କୁ ଖ୍ରୀଷ୍ଟମାସ ବୋନସ୍‌ ଆକାରରେ ୨୦ ହଜାର ଡଲାର ( ପ୍ରାୟ ୧୪ ଲକ୍ଷ ଟଙ୍କା) ଲେଖାଏଁ ପ୍ରଦାନ କରିଛି। କମ୍ପାନିର ସଇଓ କର୍ମଚାରୀମାନଙ୍କୁ ଏହି ବୋନସ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ ହସ୍ତଶିଳ୍ପ ସାମଗ୍ରୀ ଓ ଫୁଲ ବ୍ୟବସାୟ କରୁଥିବା ଫ୍ଲୋରାକ୍ରାଫ୍ଟ ନାମକ କମ୍ପାନି ଏହି ବୋନସ ଦେବ। ମିଚିଗାନସ୍ଥିତ ଏହି କମ୍ପାନିରେ ୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ କମ୍ପାନି ମୋଟ ବୋନସ୍‌ ବାବଦରେ ୪ ନିୟୁତ ଡଲାର ପ୍ରଦାନ କରିବ। ବୋନସ୍ ସମ୍ପର୍କରେ କମ୍ପାନିର ସିଇଓ ଲିଓ ସ୍କୋନର୍ ଘୋଷଣା କରିଛନ୍ତି। କର୍ମଚାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବାର ଏହା ଏକ ମାଧ୍ୟମ ହୋଇଥିବାବେଳେ କର୍ମଚାରୀଙ୍କ ପରିଶ୍ରମକୁ ଅଣଦେଖା କରାଯାଉନାହିଁ ବୋଲି ଏଥିରୁ ବୁଝାପଡ଼ୁଛି। କର୍ମଚାରୀମାନେ କମ୍ପାନିରେ କେତେବର୍ଷ ଧରି କାର୍ଯ୍ୟ କରୁଛନ୍ତି ତାହା ଉପରେ‌ ଏହି ବୋନସ ନିର୍ଭର କରୁଛି। କମ୍ପାନିରେ ୪୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିବା କର୍ମଚାରୀ ୬୦ ହଜାର ଡଲାରରୁ ଅଧିକ ବୋନସ ପାଇବେ। ହାରାହାରି ଜଣେ କର୍ମଚାରୀ ୨୦ ହଜାର ଡଲାର ବୋନସ ପାଇବେ ବୋଲି କୁହାଯାଇଛି। ତେବେ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ବୋନସ ମଧ୍ୟରୁ ୭୫ ପ୍ରତିଶତ ଅର୍ଥ ସେମାନଙ୍କ ଅବସରକାଳୀନ ଯୋଜନାରେ ‌ଜମା ହେବାକୁ ଥିବା ବେଳେ ୨୫ ପ୍ରତିଶତ ପାଣ୍ଠି ସେମାନଙ୍କୁ ନଗଦ ଆକାରରେ ଦିଆଯିବ।

ସମ୍ବନ୍ଧିତ ଖବର