୧୫ ବର୍ଷ ପୁରୁଣା ଗାଡ଼ିର ଫି’, ଜରିମାନା ବୃଦ୍ଧି: କେନ୍ଦ୍ର ବିଜ୍ଞପ୍ତି ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: ପନ୍ଦର ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଫି’ ଓ ଜରିମାନାରେ ବୃଦ୍ଧି ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତି ଉପରେ କର୍ଣ୍ଣାଟକ ହାଇକୋର୍ଟ ରୋକ ଲଗାଇଛନ୍ତି। ଏହି ବିଜ୍ଞପ୍ତି ଚଳିତ ବର୍ଷ ଏପ୍ରିଲ୍‌ରୁ ଲାଗୁ ହୋଇଛି। ଗତବର୍ଷ ଅକ୍ଟୋବର ୪ରେ ତାହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୭ରେ ଆସିଥିବା ସମାନ ଧରଣର ଏକ ବିଜ୍ଞପ୍ତିକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିଲେ।

ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ‌ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ବିଜ୍ଞପ୍ତି ଉପରେ ରୋଜ ବଳବତ୍ତର ରହିବ ବୋଲି ବିଚାରପତି ହେମନ୍ତ ଚନ୍ଦରଗୌଦାରଙ୍କ ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତି ବିରୋଧରେ କର୍ଣ୍ଣାଟକ ଲରି ମାଲିକ ସଂଘ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ଫି’ରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ପୁରୁଣା କାର୍‌ର ଫି’ ଯାହା ୬୦୦ ଟଙ୍କା ଥିଲା ତାହାକୁ ୫୦୦୦ ଟଙ୍କା କରାଯାଇଛି। ସେହିପରି, ବାଇକ୍‌ର ଫି’କୁ ୩୦୦ ଟଙ୍କାରୁ ବଢ଼ାଇ ୧୦୦୦ ଟଙ୍କା କରାଯାଇଛି। ୧୫ ବର୍ଷରୁ ପୁରୁଣା ବସ୍ ଓ ଟ୍ରକ୍‌ର ଫିଟ୍‌ନେସ୍ ନବୀକରଣ ସାର୍ଟିଫିକେଟ୍‌ ଫି’କୁ ୧,୫୦୦ ଟଙ୍କାରୁ ବଢ଼ାଇ ୧୨,୫୦୦ ଟଙ୍କା କରାଯାଇଛି। ବାଣିଜ୍ୟିକ ଯାନଗୁଡ଼ିକର ଫିଟ୍‌ନେସ୍ ନବୀକରଣ ପ୍ରତିବର୍ଷ କରିବାକୁ ବାଧ୍ୟତାମୂଳକ କରାଯାଇଛି। ନବୀକରଣ ସାର୍ଟିଫିକେଟ୍‌ ପାଇଁ ଆବେଦନ କରିବାରେ ବିଳମ୍ବ ହେଲେ ତାହା ପାଇଁ ଅତିରିକ୍ତ ଫି’ ଗଣିବାକୁ ପଡ଼ିବ। ପ୍ରତି ମାସର ବିଳମ୍ବ ପାଇଁ ୫୦୦ ଟଙ୍କାର ଅତିରିକ୍ତ ଫି’ ଦେବାକୁ ହେବ। ସାର୍ଟିଫିକେଟ୍ ଏକ୍ସପାୟାର ହୋଇଯିବା ପରେ ପ୍ରତିଦିନର ବିଳମ୍ବ ପାଇଁ ୫୦ ଟଙ୍କା ଲେଖାଏଁ ଗଣିବାକୁ ପଡ଼ିବ।

ସମ୍ବନ୍ଧିତ ଖବର