ବେଙ୍ଗାଲୁରୁରେ ୧୫୦୦ କୋଟିର ଠକେଇ, ସଂସ୍ଥାର ମାଲିକ ଦୁବାଇ ଫେରାର

ବେଙ୍ଗାଲୁରୁ: ଆଇ ମନିଟାରି ଆଡଭାଇଜରି ବା ଆଇଏମ୍‌ଏ ନାମରେ ଏକ ଇସ୍‌ଲାମିକ୍ ବ୍ୟାଙ୍କ ଚଳାଇଥିବା ବେଙ୍ଗାଲୁରୁର ମହମ୍ମଦ ମନସୁର ଖାନ୍ ଦେଶ ଛାଡ଼ି ବିଦେଶ ଫେରାର ହୋଇଯାଇଛନ୍ତି। ଆଇଏମ୍‌ଏ ଏକ ଚିଟ୍ ଫଣ୍ଡ୍ ସଂସ୍ଥା। ଏଥିରେ ଲୋକଙ୍କର ପ୍ରାୟ ୧୫୦୦ କୋଟିରୁ ଊର୍ଧ୍ବ ଟଙ୍କା ନିବେଶ ହୋଇଛି। ତେବେ ମନସୁରଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଆସିବାର ଦିନକ ପୂର୍ବରୁ ଅର୍ଥାତ ଜୁନ ୮ ତାରିଖରେ ସେ ଦୁବାଇ ପଳାଇଥିବା କୁହାଯାଉଛି। ତେବେ ବେଙ୍ଗାଲୁରୁ ପୁଲିସ ପକ୍ଷରୁ ମନସୁରଙ୍କ ନାମରେ ଏକ ଲୁକଆଉଟ୍ ନୋଟିସ ଜାରି ହୋଇଛି।

ପ୍ରଥମ ଅଭିଯୋଗଟି ମନସୁରଙ୍କ ଘନିଷ୍ଠ ବନ୍ଧୁ ତଥା ବ୍ୟାବସାୟିକ ସହଯୋଗୀ ଖଲିଦ ଅହମ୍ମଦଙ୍କ ଦ୍ବାରା ଦାଖଲ ହୋଇଥିଲା। ମନସୁର ତାଙ୍କୁ ୪.୮ କୋଟି ଟଙ୍କା ‌ଠକିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଖଲିଦଙ୍କ ଅଭିଯୋଗ ଆସିବାର ପ୍ରାୟ ୨୪ ଘଣ୍ଟା ପରେ ମନସୁର ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଏକ ଅଡିଓ କ୍ଲିପ୍ ହ୍ବାଟସଆପ୍‌ରେ ଭାଇରାଲ୍ ହୋଇଥିଲା। ସାଧାରଣରେ ଭାଇରାଲ ହୋଇଥିବା ଏହି ଅଡିଓ କ୍ଲିପରେ ମନସୁର ଅଭିଯୋଗ କରିଛନ୍ତି ଯେ, ଅନେକ ରାଜନେତା ଏବଂ ଅମଲା ତାଙ୍କ ସଂସ୍ଥାରୁ ଋଣ ନେଇ ଆଉ ଫେରାଉନାହାନ୍ତି। ଦୁର୍ନୀତିଗ୍ରସ୍ତ ରାଜନେତା ଓ ଅମଲାଙ୍କୁ ଲାଞ୍ଚ ଦେଇ ସେ କ୍ଲାନ୍ତ ହୋଇ ପଡ଼ିଲେଣି । ଏଥିପାଇଁ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ଏହା ଜଣାପଡ଼ିବା ପରେ ବୋଲି ସେଥିରେ କହିଥିଲେ। ଏପରିକି ଶିବାଜୀନଗର ଏମଏଲଏ ତଥା ବରିଷ୍ଠ କଂଗ୍ରେସ ନେତା ଆର ରୋଶନ ବେଗ୍ ୪୦୦ କୋଟି ଟଙ୍କା ଫେରାଇବାକୁ ରାଜି ହେଉ ନଥିବା ମନସୁର ଏଥିରେ କହିଛନ୍ତି। କିନ୍ତୁ ଏମଏଲଏ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଏହିସବୁ ଘଟଣା ପରେ ମାମଲାଟି ରାଜନୈତିକ ରୂପ ନେଇଛି। ଉକ୍ତ ଅଡିଓ କ୍ଲିପ୍ ପଦାକୁ ଆସିବା ପରେ ହଜାର ହଜାର ନିବେଶକ କମର୍ସିଆଲ ଷ୍ଟିଟ୍ ଥାନାରେ ଅଭିଯୋଗ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ସେତେବେଳକୁ ମନସୁର ଦେଶ ଛାଡ଼ି ପଳାଇଥିଲେ। ଗୁରୁବାର ସଂଧ୍ୟା ସୁଦ୍ଧା ମନୁସର ଏବଂ ଆଇଏମଏର ଅନ୍ୟ ଅଧିକାରୀଙ୍କ ବିରୋଧରେ ପ୍ରାୟ ୨୩ ହଜାର ଅଭିଯୋଗ ହୋଇଛି। ତେବେ କର୍ଣ୍ଣାଟକ ପୁଲିସ ଗତକାଲି ଆଇଏମଏ ଜୁଏଲର୍ସର ୭ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଇସଲାମିକ୍ ବ୍ୟାଙ୍କିଂ ଓ ହଲାଲ ନିବେଶ ସଂସ୍ଥା ଆଇଏମଏ ୨୦୦୬ରେ ଆରମ୍ଭ ହୋଇଥିଲା। ପରେ ଏହି ସଂସ୍ଥା ଗହଣା, ରିଅଲ ଇଷ୍ଟେଟ, ବୁଲିଅନ ଟ୍ରେଡିଂ, ଫାର୍ମାସି, ପ୍ରକାଶନ, ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର