ରାସ୍ତାରେ ଗଡ଼ିଲା ୧୫ ହଜାର ନୂଆ ଗାଡ଼ି, ଲୋକେ ଦୁଇଚକିଆ ଗାଡ଼ି ଅଧିକ କିଣିଲେ

ଓଡ଼ିଶାରେ ବିକ୍ରି ୨୫ଟି ରାଜ୍ୟ ତୁଳନାରେ ଅଧିକ, କର୍ଣ୍ଣାଟକରେ ସର୍ବାଧିକ ୩୬,୮୭୬ ଗାଡ଼ି ବିକ୍ରି

ଭୁବନେଶ୍ବର: କରୋନା ସଙ୍କଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଗାଡ଼ି ‌ବ୍ୟବସାୟକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଗତ ଏପ୍ରିଲ୍‌ ମାସ ସାରା ଦେଶ ଲକ୍‌ଡାଉନ୍‌ରେ ରହିବାରୁ ଗୋଟିଏ ବି ଗାଡ଼ି ବିକ୍ରି ହୋଇନଥିଲା। ମାତ୍ର ମେ’ରେ ଲକ୍‌ଡାଉନ୍‌ର ଅନେକ କଟକଣା କୋହଳ କରାଯିବା ପରେ ଗାଡ଼ି ବ୍ୟବସାୟରେ ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ମେ’ରେ ଓଡ଼ିଶାରେ ୧୫ ହଜାରରୁ ଅଧିକ ନୂଆ ଗାଡ଼ି ବିକ୍ରି ହୋଇଛି। ଅଟୋମୋବାଇଲ୍‌ ଡିଲର୍‌ ସଂଘର ମହାସଂଘ (ଫାଡା) ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଫାଡା ହେଉଛି ଗାଡ଼ି ଡିଲର୍‌ସିପ୍‌ଗୁଡ଼ିକର ଏକ ସର୍ବଭାରତୀୟ ମହାସଂଘ। ପ୍ରତି ମାସରେ ସାରା ଦେଶରେ ଏବଂ ବିଭିନ୍ନ ରାଜ୍ୟରେ ବିକ୍ରି ହେଉଥିବା ଗାଡ଼ିଗୁଡ଼ିକର ତଥ୍ୟ ଏହା ସଂଗ୍ରହ କରିବା ସହିତ ରିପୋର୍ଟ ଆକାରରେ ଜାରି କରୁଛି।

ଫାଡା ରିପୋ‌ର୍ଟ ଅନୁଯାୟୀ, ଚଳିତ ବର୍ଷ ମେ’ରେ ଓଡ଼ିଶାରେ ମୋଟ ୧୫,୦୯୦ଟି ଗାଡ଼ି ବିକ୍ରି ହୋଇଛି। ସେଥି ମଧ୍ୟରୁ ୧୩,୨୮୮ଟି ଗାଡ଼ି ହେଉଛି ଦୁଇ ଚକିଆ ଅର୍ଥାତ ସ୍କୁଟର ଓ ବାଇକ୍। ରାଜ୍ୟରେ ୧୪୦ଟି ତିନି ଚକିଆ ଯାନ, ୩୭୧ଟି ବାଣିଜ୍ୟିକ ଯାନ, ୧୧୩୬ଟି ଯାତ୍ରୀବାହୀ ଯାନ ଓ ୧୫୫ଟି ଟ୍ରାକ୍ଟର ବିକ୍ରି ହୋଇଛି। ଗତବର୍ଷର ମେ’ ମାସ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ୭୭% କମ୍ ଗାଡ଼ି ବିକ୍ରି ହୋଇଛି। କରୋନା ସଙ୍କଟ ପ୍ରଭାବରେ ଚଳିତ ବର୍ଷ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଗତବର୍ଷର ଗାଡ଼ି ବିକ୍ରି ତଥ୍ୟ ସହିତ ଚଳିତ ବର୍ଷର ତଥ୍ୟ ତୁଳନା କରିବା ଯୁକ୍ତିସଙ୍ଗତ ମନେ ହେଉନାହିଁ। ଫାଡା ଜାରି କରିଥିବା ରିପୋର୍ଟରେ କିନ୍ତୁ ଉଲ୍ଲେଖ କରାଯାଇଛି ଯେ ଗତବର୍ଷର ମେ’ ମାସ ତୁଳନାରେ ୨୦୨୦ ମେ’ରେ ଦୁଇଚକିଆ ଗାଡ଼ି ବିକ୍ରି ୭୬.୪୯ ପ୍ରତିଶତ, ତିନିଚକିଆ ୯୦.୫୨%, ବାଣିଜ୍ୟିନ ଯାନ ୮୯ ପ୍ରତିଶତ, ଯାତ୍ରୀବାହୀ ଯାନ ୭୦.୩୨ ପ୍ରତିଶତ ଓ ଟ୍ରାକ୍ଟର ବିକ୍ରି ୪୪ ପ୍ରତିଶତ ହ୍ରାସ ପାଇଛି। ଗତ ମେ’ରେ ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଗୋଆ, ହରିଆନା, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଅରୁଣାଚଳପ୍ରଦେଶ, ଆସାମ, ବିହାର, ଛତିଶଗଡ଼ ଓ ଦିଲ୍ଲୀ ଭଳି ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଅଧିକ ଗାଡ଼ି ବିକ୍ରି ହୋଇଛି। ଦେଶର ସର୍ବାଧିକ ୩୬,୮୭୬ଟି ଗାଡ଼ି କର୍ଣ୍ଣାଟକରେ ବିକ୍ରି ହୋଇଛି। ତାମିଲନାଡୁରେ ଦ୍ବିତୀୟ ସର୍ବାଧିକ ୩୨,୭୯୧ଟି ଗାଡ଼ି ବିକ୍ରି ହୋଇଛି। ରାଜସ୍ଥାନ ଓ କେରଳରେ ମଧ୍ୟ ଓଡ଼ିଶା ଠାରୁ ଅଧିକ ଗାଡ଼ି ବିକ୍ରି ହୋଇଛି। ସର୍ବଭାରତୀୟ ସ୍ତରରେ ‌ଗତ ମେ’‌ରେ ୨,୦୨,୬୯୭ଟି ଗାଡ଼ିର ପଞ୍ଜୀକରଣ ହୋଇଛି। ଗତବର୍ଷର ମେ’ ତୁଳନାରେ କିନ୍ତୁ ତାହା ୮୮% କମ୍। ଫାଡାର ସଭାପତି ଆଶିଷ ହର୍ଷରାଜ କହିଛନ୍ତି, ଏପ୍ରିଲ୍‌ରେ ଗାଡ଼ି ବିକ୍ରି ସମ୍ପୂର୍ଣ୍ଣ ଠପ୍ ରହିବା ପରେ ମେ’ରେ ସୋ’ରୁମ୍‌ଗୁଡ଼ିକ ଖୋଲିବା ଯୋଗୁଁ ବିକ୍ରି ପୁଣିଥରେ ଆରମ୍ଭ ହୋଇଛି। ମେ’ ଶେଷ ସୁଦ୍ଧା ଦେଶରେ ଥିବା ୨୬,୫୦୦ଟି ଆଉଟ୍‌ଲେଟ୍‌ ମଧ୍ୟରୁ ୬୦% ସୋ’ରୁମ୍ ଓ ୮୦% ୱାର୍କସପ୍ ଖୋଲିଛି।

ସମ୍ବନ୍ଧିତ ଖବର