୧୫୩ ଟଙ୍କାରେ ମିଳିବ ୧୦୦ ଚ୍ୟାନେଲ୍‌

ଫେବ୍ରୁଆରିରୁ ନୂଆ ନିୟମ

ନୂଆଦିଲ୍ଲୀ: ଟିଭି ଦେଖିବା ପାଇଁ ହେଉଥିବା ଖର୍ଚ ଆସନ୍ତା ମାସ ଠାରୁ କମିଯିବ। ଗ୍ରାହକମାନେ ୧୫୩ ଟଙ୍କା ଦେଇ ୧୦୦ ଚ୍ୟାନେଲ୍‌ ଦେଖିବାର ସୁଯୋଗ ପାଇବେ। ଭାରତୀୟ ଦୂରସଂଚାର ନିୟାମକ କତୃର୍ପକ୍ଷ (ଟ୍ରାଇ) ପକ୍ଷରୁ ଏହା କୁହ‌ାଯାଇଛି।
ଗ୍ରାହକମାନଙ୍କୁ ଜାନୁଆରି ୩୧ ସୁଦ୍ଧା ନିଜ ପସନ୍ଦର ଚ୍ୟାନେଲ୍ ଚୟନ କରିବାକୁ ହେବ। ଫେବ୍ରୁଆରି ୧ ଠାରୁ ନୂଆ ନିୟମ ଲାଗୁ କରାଯିବ। ସେମାନେ ଯେଉଁ ଚ୍ୟାନେଲ୍‌ ଚୟନ କରିଥିବେ କେବଳ ତାହାକୁ ଦେଖିବାର ସୁଯୋଗ ପାଇବେ। ଗ୍ରାହକଙ୍କୁ ଏବିଷୟରେ ସଚେତନ କରିବା ପାଇଁ ଟ୍ରାଇ ପକ୍ଷରୁ ଏସଏମ୍‌ଏସ୍‌ ଓ ଇ-ମେଲ୍ ପଠାଯାଉଛି। ଗ୍ରାହକମାନେ ୦୧୧-୨୩୨୩୭୯୨୨ କିମ୍ବା ୦୧୧-୨୩୨୨୦୨୨୯କୁ ଫୋନ୍ କରି ନିଜର ଦ୍ବନ୍ଦ୍ବ ଦୂର କରିପାରିବେ।
୧୦୦ ଚ୍ୟାନେଲ୍ ପାଇଁ ନେଟ୍‌ୱର୍କ କାପାସିଟି ସ୍ଲଟ୍‌ ବାବଦରେ ୧୫୩ ଟଙ୍କା ଦେବାକୁ ହେବ। ଏହା ବାଦ ଯଦି ଗ୍ରାହକ ଅଧିକ ଚ୍ୟାନେଲ୍ ଦେଖିବାକୁ ଚାହିଁବେ ତେବେ ପ୍ରତିଟି ଚ୍ୟାନେଲ୍ ପାଇଁ ଅଲଗା ଅଲଗା ଶୁଳ୍କ ଗଣିବେ। ଯଦି ଫ୍ରି ଟୁ ଏୟାର ଚ୍ୟାନେଲ୍‌ ଚୟନ କରିବେ ତେବେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ମାତ୍ର ପେଡ୍ ଚ୍ୟାନେଲ୍‌ ଚୟନ କଲେ ସେବାବଦରେ ଟଙ୍କା ଗଣିବାକୁ ହେବ। ୧୦୦ରୁ ଅଧିକ ଚ୍ୟାନେଲ୍‌ ଚୟନ କରୁଥିବା ଗ୍ରାହକମାନଙ୍କୁ ପରବର୍ତି ୨୫ଟି ଚ୍ୟାନେଲ୍‌ ପାଇଁ ଅତିରିକ୍ତ ୨୦ ଟଙ୍କା ଦେବାକୁ ହେବ।
ଟ୍ରାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବେସ୍ ପ୍ରାଇସ୍‌ (ମୌଳିକ ମୂଲ୍ୟ)ରେ ଏଚ୍‌ଡି ଚ୍ୟାନେଲ୍‌କୁ ସାମିଲ କରାଯାଇନାହିଁ।
ଉଲ୍ଲେଖଯୋଗ୍ୟ, ଚ୍ୟାନେଲ୍‌ଗୁଡ଼ିକର ସର୍ବନିମ୍ନ ମୂଲ୍ୟ ଶୂନ ଏବଂ ସର୍ବାଧିକ ଦର ୧୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଗ୍ରାହକମାନେ ପ୍ୟାକ୍ ଭାବେ କିମ୍ବା ନିର୍ଦିଷ୍ଟ ଚ୍ୟାନେଲ୍‌କୁ ନିଜ ପାଇଁ ଚୟନ କରିପାରିବେ।
ଏହି ନିର୍ଦେଶ ଲାଗୁ କରିବାକୁ ଟ୍ରାଇ ପକ୍ଷରୁ ଦେଶର ସମସ୍ତ କେବୁଲ ଅପରେଟର ଓ ଡିଟିଏଚ୍‌ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକୁ କୁହାଯାଇଛି। ଏହି ନିୟମ ୨୦୧୮ ଡିସେମ୍ବର ୨୯ରେ ଲାଗୁ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତରେ ଏହି ସମୟ ସୀମାକୁ ୨୦୧୯ ଫେବ୍ରୁଆରି ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର