ଭୁବନେଶ୍ବର: ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧କୁ ରାଜ୍ୟରେ ୨୦୨୧ ମସିହା ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ନୀତି ଅନୁଯାୟୀ, ୨୦୨୧ ସେପ୍ଟେମ୍ବର ପହିଲାରୁ ଇ-ଯାନ କିଣାଯାଇ ପଞ୍ଜୀକୃତ ହୋଇଥିବା ଇ-ଯାନଗୁଡ଼ିକୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ୨ ଚକିଆ ଯାନରେ କିଲୋୱାଟ୍‌ ପିଛା ୫ ହଜାର ଟଙ୍କା (ସର୍ବାଧିକ ୨୦ ହଜାର), ୩ ଚକିଆ ଯାନରେ ୩୦ ହଜାର ଟଙ୍କା ଏବଂ ଚାରି ଚକିଆ ଯାନରେ କିଲୋୱାଟ ପିଛା ୧୦ ହଜାର ଟଙ୍କା (ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା) ପ୍ରଦାନ କରାଯାଉଛି। ୨୦୨୨-୨୩ରୁ ଆରମ୍ଭ କରି ୨୦୨୪-୨୫ ଆର୍ଥିକବର୍ଷର ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟ ସରକାର ମୋଟ ୧୫୪ କୋଟି ୨୭ ଲକ୍ଷ ୮୫ ହଜାର ୧୩୫ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି।

Advertisment

ଏଥିରୁ ୨ ଚକିଆ ପାଇଁ ୯୬ କୋଟି ୮୦ ଲକ୍ଷ ୧୫ ହଜାର ୮୯ ଟଙ୍କା, ୩ ଚକିଆ ପାଇଁ ୨୦ କୋଟି ୪୫ ଲକ୍ଷ ୫ ହଜାର ଏବଂ ୪ ଚକିଆ ପାଇଁ ୩୭ କୋଟି ୨ ଲକ୍ଷ ୬୫ ହଜାର ୪୬ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଉପରୋକ୍ତ ସମୟ ମଧ୍ୟରେ ସରକାର ୭୮୦୬୬ଟି ଦୁଇ ଚକିଆ, ୮୫୧୩ଟି ୩ ଚକିଆ ଏବଂ ୨୮୮୭ଟି ୪ ଚକିଆ ଇ-ଯାନ ଉପରେ ପ୍ରୋତ୍ସାହନ ଦେଇଛନ୍ତି। ବିଧାନସଭାରେ ଗୁରୁବାର ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏଥିସହିତ ଗତ ଅଗଷ୍ଟ ଶେଷ ସୁଦ୍ଧା ସରକାର ବୈଦ୍ୟୁତିକ ଯାନ ପାଇଁ ପ୍ରୋତ୍ସାହନ ରାଶି ବାବଦରେ ମୋଟ ୨୧୫ କୋଟି ୭ ଲକ୍ଷ ୫୪ ହଜାର ଟଙ୍କା ବ୍ୟୟବରାଦ କରିଛନ୍ତି। ୨୦୨୧-୨୨ରେ ୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ୨୦୨୨-୨୩ରେ ୫୦ କୋଟି, ୨୦୨୩-୨୪ରେ ୭୪ କୋଟି ୭ ଲକ୍ଷ ୫୪ ହଜାର ଏବଂ ଚଳିତ ଆର୍ଥିକବର୍ଷର ଅଗଷ୍ଟ ୩୧ ସୁଦ୍ଧା ୮୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚନା ଦେଇଛନ୍ତି।