୧୫୭ତମ ଏସ୍‌ଏଲ୍‌ବିସି ବୈଠକ: ରାଜ୍ୟର ୪୯୨୧ ପଞ୍ଚାୟତରେ ବ୍ୟାଙ୍କ ନାହିଁ

କୃଷି ଋଣ ପ୍ରଦାନରେ ପ୍ରଦର୍ଶନ ଖରାପ

ଭୁବନେଶ୍ବର: ରାଜ୍ୟରେ ଏବେ ବି ୪୯୨୧ଟି ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ। ଏହାଦ୍ବାରା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଯୋଜନା ସଫଳ ହୋଇପାରୁନାହିଁ। ରାଜ୍ୟରେ ୧୯୪ଟି ଯୋଜନା ଲୋକଙ୍କ ପାଇଁ କାର୍ଯ୍ୟକାରୀ ହେଉଛି। ସରକାର ଅଧିକରୁ ଅଧିକ ଯୋଜନାକୁ ଡିବିଟିରେ ସାମିଲ କରିବାକୁ ଯୋଜନା ରଖିଛନ୍ତି। କିନ୍ତୁ ବ୍ୟାଙ୍କିଙ୍ଗ୍ ସୁବିଧା ନଥିବାରୁ ଏହା ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ବ୍ୟାଙ୍କ ଗୁଡ଼ିକ ଅଧିକ ଶାଖା ଖୋଲିଲେ ଡିବିଟିରେ ଅଧିକରୁ ଅଧିକ ଯୋଜନା ସାମିଲ କରାଯାଇ ପାରିବ। ହୋଟେଲ ମେ ଫେୟାର ପରିସରରେ ଆ‌ଜି ଆୟୋଜିତ ୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଙ୍ଗ୍ କମିଟି (ଏସ୍‌ଏଲ୍‌ବିସି) ବୈଠକରେ ବ୍ୟାଙ୍କ ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିସହିତ ରାଜ୍ୟରେ ବ୍ୟାଙ୍କିଙ୍ଗ୍ କରେସ୍‌ପୋଣ୍ଡେଣ୍ଟ୍ ମଡେଲ ମଧ୍ୟ ସେତେଟା ସନ୍ତୋଷଜନକ ହୋଇପାରି ନାହିଁ। ତେଣୁ ଏହାକୁ ମଧ୍ୟ ତ୍ବରାନିତ କରିବା ପାଇଁ ଅର୍ଥମନ୍ତ୍ରୀ କହିଛନ୍ତି। ବ୍ୟାଙ୍କ ଗୁଡ଼ିକ କୃଷି ଋଣ ପ୍ରଦାନରେ ମଧ୍ୟ ସଫଳ ହୋଇପାରି ନାହାନ୍ତି। ସେପ୍ଟେମ୍ବର ସୁଦ୍ଧା ସେମାନେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୮.୧୩ ପ୍ରତିଶତ କୃଷି ଋଣ ପ୍ରଦାନ କରିଛନ୍ତି। ସେହିଭଳି ଧାର୍ଯ୍ୟ ଲକ୍ଷ୍ୟର ୩୬ ପ୍ରତିଶତ ମିଆଦୀ ଋଣ ପ୍ରଦାନ କରିଛନ୍ତି। ତେବେ ବ୍ୟାଙ୍କ ଗୁଡ଼ିକ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଋଣ ପ୍ରଦାନ ନେଇ ରଖିଥିବା ଲକ୍ଷ୍ୟର ୯୪.୧୪ ପ୍ରତିଶତ ହାସଲ କରିପାରିଛନ୍ତି ବୋଲି ଏସ୍‌ଏଲ୍‌ବିସି ବୈଠକରୁ ଜଣାଯାଇଛି।

ମାଓ ଉପଦ୍ରୁତ ଜିଲ୍ଲାଗୁଡ଼ିକରେ ବ୍ୟାବସାୟିକ ପ୍ରତିନିଧିମାନେ ଇଣ୍ଟରନେଟ ସଂଯୋଗ ପାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିସବୁ ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବାର ଉନ୍ନତି ପାଇଁ ନାବାର୍ଡ ଓ ଏସ୍‌ଏଲ୍‌ବିସି ମଧ୍ୟରେ ଆଲୋଚନା କରାଯାଇ ଭିସାଟ୍ ମାଧ୍ୟମରେ ଇଣ୍ଟରନେଟ୍ ସେବା ଯୋଗାଇବା ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ବାରୋପ କରିଥିଲେ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ଅନ୍ତତଃପକ୍ଷେ ଗୋଟିଏ ଷ୍ଟେଟ ବ୍ୟାଙ୍କ ଶାଖା ଖୋଲିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ଏସ୍‌ବିଆଇର ମୁଖ୍ୟ ପରିଚାଳନା ପ୍ରବନ୍ଧକଙ୍କୁ କହିଥିଲେ। ଭାରତ ସରକାରଙ୍କ ସ୍ବତନ୍ତ୍ର ସଚିବ ଦେବାଶିଷ ପଣ୍ଡା କହିଲେ, ସ୍ବୟଂ ସହାୟକ ଗୋଷ୍ଠୀମାନେ ବ୍ୟାବସାୟିକ ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତୁ। ଗ୍ରାମାଞ୍ଚଳରେ ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ସାମାଜିକ ସୁରକ୍ଷା ଓ ବୀମା ଯୋଜନାକୁ ତ୍ବରାନ୍ବିତ କରିବା ଦିଗରେ କାର୍ଯ୍ୟ କରନ୍ତୁ ବୋଲି ସେ କହିଥିଲେ। ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ସଚିବ ଅଶୋକ କୁମାର ମୀନା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ମିସନ ଶକ୍ତି କମିସନର ସୁଜାତା କାର୍ତ୍ତିକେୟନ ସ୍ବୟଂ ‌ସହାୟକ ଗୋଷ୍ଠୀ ଗୁଡ଼ିକୁ ଅଧିକ ଋଣ ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରିଥିଲେ। ଏବେ ଏସ୍‌ଏଚ୍‌ଜିଗୁଡ଼ିକୁ ବ୍ୟାଙ୍କ ଗୁଡ଼ିକର ହାରାହାରି ଋଣ ପ୍ରଦାନ ୧ ଲକ୍ଷ ୧୦ ହଜାର ଟଙ୍କା ରହିଥିବାବେଳେ ଏହାକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସେ ମତ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଏମ୍ କେ ମଲ୍ଲ, ନାବାର୍ଡର ସିଜିଏମ୍‌ ଏ ଚନ୍ଦ୍ରଶେଖର, ‌ୟୁକୋ ବ୍ୟାଙ୍କର ସିଇଓ ତଥା ଏମ୍‌ଡି ଏ କେ ଗୋୟଲ, ରାଜ୍ୟ ଅର୍ଥ ପ୍ରତିଷ୍ଠାନର ସ୍ବତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ପି କେ ବିଶ୍ବାଳଙ୍କ ସମେତ ଅର୍ଥ ବିଭାଗର ବରିଷ୍ଠ ପଦାଧିକାରୀ ଓ ପ୍ରମୁଖ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ‌ଦେଇଥିଲେ।

ସମ୍ବନ୍ଧିତ ଖବର