ବିନା ବୀମାରେ ଚାଲୁଛି ୧୬ କୋଟି ଗାଡ଼ି

ନୂଆଦିଲ୍ଲୀ: ଭାରତରେ ବିନା ବୀମାରେ ଗାଡ଼ି ଚଳାଇବା ନିୟମ ନାହିଁ। ଗାଡ଼ିର ତୃତୀୟପକ୍ଷ ବୀମା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଅଧାରୁ ଅଧିକ ଗାଡ଼ି ବିନା ବୀମାରେ ଚାଲୁଛି। ସରକାର ସଂସଦରେ ରଖିଥିବା ତଥ୍ୟ ଅନୁଯାୟୀ ଦେଶର ସଡ଼କରେ ଏବେ ୩୦.୫ କୋଟି ଗାଡ଼ି ଗଡ଼ୁଛି। ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ ଏବଂ ଲାକ୍ଷାଦୀପକୁ ବାଦ ଦେଲେ ଦେଶରେ ଏହି ସଂଖ୍ୟକ ଗାଡ଼ି ଚାଲୁଛି ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ତଥ୍ୟକୁ ଆଧାର କରି ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗୱତ କରାଡ଼ କହିଛନ୍ତି। ତେବେ ମୋଟ ଗାଡ଼ି ମଧ୍ୟରୁ ୧୬.୫ କୋଟି ବା ୫୪ ପ୍ରତିଶତ ଗାଡ଼ିର ବୀମା ନାହିଁ।

ଦେଶରେ ୪୦ରୁ ୫୦ ପ୍ରତିଶତ ଗାଡ଼ିର ବୀମା ନାହିଁ ବୋଲି ସାଂସଦ ଲଭୁ ଶ୍ରୀ କୃଷ୍ଣ ଦେବରାୟାଲୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି। ଏଥିସହିତ ସ୍ପଟ୍‌ରେ ଗାଡ଼ିଗୁଡ଼ିକର ତୃତୀୟ ପକ୍ଷ ବୀମା କରାଯିବାର କୌଣସି ଯୋଜନା ଅଛି କି? ଯଦି ଅଛି ତାହେଲେ ଏହା କେବେ ସୁଦ୍ଧା କରାଯିବ ବୋଲି ସାଂସଦ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେଭଳି କୌଣସି ଯୋଜନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଦେଶରେ ତୃତୀୟ ପକ୍ଷ ମୋଟର ବୀମା ବାଧ୍ୟତାମୂଳକ ହୋଇଥିବାବେଳେ ଅଧିକାଂଶ ଗାଡ଼ିର ବୀମା ନାହିଁ। ବୀମା ନଥିବା କାରଣରୁ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନେ ପର୍ଯ୍ୟାପ୍ତ କ୍ଷତିପୂରଣ ପାଇ ପାରୁନାହାନ୍ତି। ଏଥିଯୋଗୁ ଦେଶରେ ହଜାର ହଜାର ପରିବାରର ଆର୍ଥିକ ସ୍ଥିତି ଖରାପ ହେଉଛି ବୋଲି ବଜାଜ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସର ଏମଡି ତଥା ସିଇଓ ଏବଂ ସାଧାରଣ ବୀମା ପରିଷଦର ଅଧ୍ୟକ୍ଷ ତପନ ସିଂଘେଲ କହିଛନ୍ତି। ଭାରତରେ ଲୋକମାନେ ଗାଡ଼ି ବୀମାର ନବୀକରଣ ସାଧାରଣତଃ କରୁ ନଥିବାରୁ ଏତେ ସଂଖ୍ୟାରେ ଗାଡ଼ି ବିନା ବୀମାରେ ଚାଲିଛି।

ବିନା ବୀମାରେ ଚାଲୁଥିବା ଗାଡ଼ିଗୁଡ଼ିକର ବୀମାକୁ ଯେଭଳି ନିଶ୍ଚିତ କରାଯାଇ ପାରିବ ସେଥିନେଇ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ବିଭିନ୍ନ ପଦକ୍ଷେପ ନେବା ସଂପର୍କରେ ଚିନ୍ତା କରୁଛି। ରାଜ୍ୟ ସରକାରମାନଙ୍କ ସହିତ ବୀମା କମ୍ପାନିଗୁଡ଼ିକ ଏ ସଂପର୍କରେ ଆଲୋଚନା କରିବା ସହ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରୁ ତଥ୍ୟ ଆଣି ବୀମା ହୋଇଥିବା ଏବଂ ନହୋଇଥିବା ଗାଡ଼ିଗୁଡ଼ିକର ତଥ୍ୟ ସଂଗ୍ରହ କରି ଏ ଦିଗରେ ପଦକ୍ଷେପ ନେଇପାରିବେ ବୋଲି ଆଇଆରଡିଏଆଇ ପରାମର୍ଶ ଦେଇଥିଲା। ଏହାବ୍ୟତୀତ ଦୀର୍ଘବର୍ଷ ପାଇଁ ବୀମା କରିବା ଲାଗି ମଧ୍ୟ ମତ ପ୍ରକାଶ ପାଉଛି। ପ୍ରାଇଭେଟ କାର କ୍ଷେତ୍ରରେ ୩ ବର୍ଷ ଏବଂ ଦୁଇ ଚକିଆ କ୍ଷେତ୍ରରେ ୫ ବର୍ଷର ପଲିସି ଲାଗି କୁହାଯାଇଛି। ଭାରତରେ ସଡ଼କ ଦୁର୍ଘଟଣା ବହୁସଂଖ୍ୟାରେ ହେଉଛି। ଦୁର୍ଘଟଣା ଘଟାଇବା ସମୟରେ ଗାଡ଼ିର ବୀମା ନଥିଲେ ଚାଳକ ଏବଂ ଗାଡ଼ି ମାଲିକ କେବଳ ଆର୍ଥିକ କ୍ଷତି ସହନ୍ତି ନାହିଁ ଆଇନଗତ ଜାଲରେ ମଧ୍ୟ ଛନ୍ଦି ହୋଇଛନ୍ତି। ତେଣୁ ଗାଡ଼ିର ବୀମା ଥିବା ଚାଳକ ଏବଂ ମାଲିକଙ୍କୁ ଆର୍ଥିକ, ଆଇନଗତ ଦିଗରୁ ଲାଭ ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର