ମୁମ୍ବାଇ: ସେୟାର ବଜାର କାରବାର ଏବେ ଅସ୍ଥିରତା ଦେଇ ଗତି କରୁଛି। ଗୋଟିଏ ପଟେ ଇରାନ ଓ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ନିବେଶକମାନଙ୍କ ଚିନ୍ତା ବଢ଼ାଇଥିବା ବେଳେ ଚୀନ୍‌ ସରକାର ଅର୍ଥନୈତିକ ପ୍ରୋତ୍ସାହନ ଘୋଷଣା କରିବା ପରେ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଏହି ଦୁଇ କାରଣ ଲାଗି ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜରେ ଚଳିତ ସପ୍ତାହ କାରବାର ସମ୍ପୂର୍ଣ୍ଣ ଅସ୍ଥିର ରହିଛି। ଗତ ପାଞ୍ଚ ଦିନ ମଧ୍ୟରେ ସେନ୍‌ସେକ୍ସ ୪୧୪୮ପଏଣ୍ଟ ହ୍ରାସ ପାଇଥିବା ବେଳେ ନିବେଶକମାନେ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗତକାଲି ୧୭୬୯ ପଏଣ୍ଟ ତଳକୁ ଖସିଥିବା ସେନ୍‌ସେକ୍ସ ଶୁକ୍ରବାର ୮୦୯ ପଏଣ୍ଟ ହ୍ରାସ ପାଇ ୮୧,୬୮୮ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୨୩୫ ପଏଣ୍ଟ ହ୍ରାସ ପାଇ ୨୫,୦୧୪ ପଏଣ୍ଟରେ ବନ୍ଦ ହୋଇଛି।

Advertisment

ଗତ ପାଞ୍ଚ ଦିନ ମଧ୍ୟରେ ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୧୫.୯ ଲକ୍ଷ‌ କୋଟି ଟଙ୍କା ହ୍ରାସ ପାଇ ୪୬୧.୨୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୨ ଜୁନ୍ ପରେ ପ୍ରଥମ ଥର ଲାଗି ସେନ୍‌ସେକ୍ସ ଓ ନିଫ୍‌ଟି ଏଭଳି ଖରାପ ସମୟ ଦେଇ ଗତି କରୁଛନ୍ତି। ଇସ୍ରାଏଲ୍‌ ଉପରେ ଇରାନ ମାଡ଼ କରିଥିବା ରକେଟ୍‌ଗୁଡ଼ିକର ସିଧାସଳଖ ପ୍ରଭାବ ଷ୍ଟକ୍ ବଜାର ଉପରେ ପଡ଼ିଛି। ଅଶୋଧିତ ତେଲ ଓ ସୁନା ଦରରେ ହୋଇଥିବା ବୃଦ୍ଧିକୁ ନେଇ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ଅନ୍ୟପଟେ, ପ୍ରୋତ୍ସାହନ ଫଳରେ ଚୀନ୍‌ର ସେୟାର ବଜାର ଆକର୍ଷଣୀୟ ହୋଇପଡ଼ିଥିବାରୁ ବିଦେଶୀ ନିବେଶକମାନେ ଗତ ଚାରି ଦିନରେ ଭାରତୀୟ ସେୟାର ବଜାରରୁ ୩୨,୦୦୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। କେବଳ ଗୁରୁବାର ଦିନ ସେମାନେ ୧୫,୨୪୩ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ପାଣ୍ଠି ପରିଚାଳନା କରୁଥିବା ମ୍ୟାନେଜରମାନେ ସାରା ଏସିଆର ପାଣ୍ଠିକୁ ଏବେ ଚୀନ୍‌ ଆଡ଼କୁ ପଠାଇବା ଉପରେ କାମ କରୁଛନ୍ତି। ତେବେ ବଜାର ବିଶେଷଜ୍ଞମାନଙ୍କ ମତରେ ଏହି ସ୍ଥିତି ଭାରତୀୟ ସେୟାର କାରବାରକୁ ଅଧିକ ଦିନ ପ୍ରଭାବିତ କରିପାରିବ ନାହିଁ। କାରଣ ନିବେଶ ଲାଗି କେବଳ ମ୍ୟୁଚ୍ୟୁଆଲ ଫଣ୍ଡ କମ୍ପାନିଗୁଡ଼ିକ ପାଖରେ ୧.୮୬ ଲକ୍ଷ କୋଟି ଟଙ୍କା ରହିଛି। ଏହା ବ୍ୟତୀତ ଅତି ଧନୀ, ପିଏମ୍‌ଏସ୍‌ ପାଣ୍ଠି ମଧ୍ୟ ରହିଛି। ଜଟିଳ ସ୍ଥିତିର ମୁକାବିଲା କରିବା ଲାଗି ଭାରତ ପାଖରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ଅସ୍ତ୍ର ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।