ଷ୍ଟକ୍‌ ବଜାର ପାଇଁ ଶୁଭ ଶୁକ୍ରବାର, କରୋନା ଭୟ ସ‌ତ୍ତ୍ବେ ସେନ୍‌ସେକ୍ସରେ ୧୬୨୮ ପଏଣ୍ଟ୍‌ ବୃଦ୍ଧି

ନିବେଶକଙ୍କ ସାଢ଼େ ଛଅ ଲକ୍ଷ କୋଟି ଲାଭ

ମୁମ୍ବାଇ: ଷ୍ଟକ୍‌ ବଜାର ପାଇଁ ଶୁକ୍ରବାର ଶୁଭ ସାବ୍ୟସ୍ତ ହୋଇଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଖସିବା ପରେ ସେନ୍‌ସେକ୍ସ ଆଜି ବଢ଼ିଛି। କରୋନା ଭୂତାଣୁର ମୁକାବିଲା କରିବା ଲାଗି ସାରା ବିଶ୍ବରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ନିବେଶକମାନେ ଆଜି ବମ୍ବେ ଷ୍ଟକ ବଜାରରେ ଅଧିକ ସେୟାର କିଣାକିଣି କରିଛନ୍ତି। ଏହାର ପ୍ରଭାବରେ ସେନ୍‌ସେକ୍ସ ୧୬୨୮ ପଏଣ୍ଟ୍‌ ବୃଦ୍ଧି ପାଇ ୨୯,୯୧୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଫଳରେ‌ ଗୋଟିଏ ଦିନରେ ନିବେଶକମାନେ ପ୍ରାୟ ସାଢ଼େ ଛଅ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୮୭୪୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଚଳିତ ସପ୍ତାହରେ ସେନ୍‌ସେକ୍ସ ଓ ନିଫ୍‌ଟିରେ ଯେଉଁଭଳି ଧରଣର ହ୍ରାସ ଘଟିଥିଲା ତାହା ବିଗତ ୧୦ ବର୍ଷ ଭିତରେ କେବେ ଦେଖିବାକୁ ମିଳିନଥିଲା। ଶେଷ ଥର ଲାଗି ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ସେନ୍‌ସେକ୍ସରେ ୮୫୧ ପଏଣ୍ଟ୍‌ର ହ୍ରାସ ଘଟିଥିଲା। ବିଶ୍ବର ଅନେକ ରାଷ୍ଟ୍ରର ଷ୍ଟକ ବଜାରରେ ଭଲ କାରବାର ହୋଇଥିଲା। ତାହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ଦେଖିବାକୁ ମିଳିଥିଲା। ନିବେଶକମାନେ ସୂଚନା ପ୍ରଯୁକ୍ତି (ଆଇଟି) କଂପାନିଗୁଡ଼ିକର ସେୟାରକୁ ଅଧିକ ମାତ୍ରାରେ କିଣିଥିଲେ। ସେଥିପାଇଁ ‌ସେନ୍‌ସେକ୍ସରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି। ଆଜି ଦକ୍ଷିଣ କୋରିଆ, ହଂକଂ, ଜାପାନ ଓ ସାଂଘାଇ ଷ୍ଟକ ବଜାରରେ ଭଲ କାରବାର ହୋଇଛି।

ସମ୍ବନ୍ଧିତ ଖବର