ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର ମାସରେ ରେକର୍ଡ ୧୬୫୮ କୋଟି ସଂଖ୍ୟକ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍) କାରବାର ହୋଇଛି। ଏହା ଜରିଆରେ ମୋଟ ୨୩.୫୦ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର ହୋଇଛି। ଗତବର୍ଷର ଅକ୍ଟୋବର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ୟୁପିଆଇ ସଂଖ୍ୟାରେ ୪୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୬ ଏପ୍ରିଲରେ ଦେଶରେ ୟୁପିଆଇ କାରବାର ଆରମ୍ଭ ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମାସରେ ଏତେସଂଖ୍ୟକ ୟୁପିଆଇ କାରବାର ହୋଇ ନଥିଲା। ୨୦୨୩ ଅକ୍ଟୋବରରେ ୧୧୪୧ କୋଟି ସଂଖ୍ୟାର ୟୁପିଆଇ କାରବାର ହୋଇଥିଲା।
ଏହା ଜରିଆରେ ୧୭.୧୬ ଲକ୍ଷ କୋଟି ସ୍ଥାନାନ୍ତର ହୋଇଥିଲା। ତେଣୁ ଗତବର୍ଷ ତୁଳନାରେ ୟୁପିଆଇରେ ହୋଇଥିବା କାରବାର ରାଶିରେ ୩୭ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୪ ଅକ୍ଟୋବରରେ ଦୈନିକ ହାରାହାରି କାରବାର ସଂଖ୍ୟା ୫୩ କୋଟି ୫୦ ଲକ୍ଷ ଏବଂ କାରବାର ରାଶି ୭୫,୮୦୧ କୋଟି ଟଙ୍କା ରହିଥିଲା। ତେବେ ଚଳିତବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ୟୁପିଆଇ କାରବାର ସଂଖ୍ୟାରେ ୧୦.୨୩ ପ୍ରତିଶତ ଏବଂ କାରବାର ରାଶିରେ ୧୩.୮୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୪ ସେପ୍ଟେମ୍ବରରେ ୧୫୦୪ କୋଟି ୟୁପିଆଇ କାରବାର ହୋଇଥିଲା ଏବଂ ଏହା ଜରିଆରେ ୨୦.୬୪ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର ହୋଇଥିଲା।