ଭୁବନେଶ୍ୱର: ଆୟକର ବିଭାଗ ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ଜୟଦେବଭବନରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆୟକରର ପ୍ରଧାନ ମୁଖ୍ୟ ଆୟୁକ୍ତ ପାରମିତା ଶତପଥୀ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବିଭାଗର ପ୍ରଧାନ ନିଦ୍ଦେର୍ଶକ ସନ୍ଦୀପ ଗୋ‌ଏଲ, ପ୍ରଧାନ ମୁଖ୍ୟ ଆୟୁକ୍ତ ସରୋଜ କୁମାର ମହାପାତ୍ର ଓ ସିଆଇଟି (ପ୍ରଶାସନ ଏବଂ ଟିପିଏସ୍) ଶୋଭନ କୃଷ୍ଣ ସାହୁ ଯୋଗଦେଇଥିଲେ। ବିଭାଗ ଦ୍ୱାରା ଗ୍ରହଣ କରାଯାଉଥିବା ସେବାଭିତ୍ତିକ ଆଭିମୁଖ୍ୟ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭାଗର ମୁଖପତ୍ର ‘ଆକାଂକ୍ଷା’ ଉନ୍ମୋଚିତ ହୋଇଥିଲା।
କାର୍ଯ୍ୟକ୍ରମରେ ସିବିଡିଟିର ଅଧ୍ୟକ୍ଷ ରବି ଅଗ୍ରୱାଲ ଆଭାସୀ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ଡ‌ା. ବିଜୟ କୁମାର ମିଶ୍ର, ଡ‌ା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡ‌ା. ମହେନ୍ଦ୍ର ତ୍ରିପାଠୀ, ଡ‌ା. ନିରୋଜ କୁମାର ମିଶ୍ର, ଡ‌ା. ସତୀଶ ଚନ୍ଦ୍ର ପ୍ରଧାନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୟୂର କଳା ଗୋଷ୍ଠୀ ଦ୍ୱାରା ଛଉନୃତ୍ୟ ପ୍ରଦର୍ଶିତ ହୋଇଥିଲା। ବିଭାଗ ପକ୍ଷରୁ ପୂର୍ବରୁ ୱାକାଥନ୍, ସ୍ୱାସ୍ଥ୍ୟ ଶିବିର, ବିଭାଗର କର୍ମଚାରୀଙ୍କ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Advertisment