ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ଗତ ୫ ବର୍ଷରେ ୧୬୮ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଛି। ଗୃହରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏହି ସୂଚନା ଦେଇଛନ୍ତି। ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସ୍ବାକ୍ଷରିତ ହୋଇଥିବା ଏମ୍ଓୟୁଗୁଡ଼ିକ ମଧ୍ୟରୁ ୧୭ଟି ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ୪ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି ଓ ଶିଳ୍ପ ପ୍ରତିଷ୍ଠା ଲାଗି ପରବର୍ତ୍ତୀ ପଦକ୍ଷେପ ନିଆଯାଉଛି। ଆଉ ୨ଟି ଶିଳ୍ପ ସ୍ଥାପନ ଲାଗି ଆବେଦନପତ୍ର ହସ୍ତଗତ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
୨୦୨୨-୨୦୨୪ ମଧ୍ୟରେ ରାଜ୍ୟରେ ୨୩ଟି ଗୁରୁତ୍ବପୂର୍ଣ୍ଣ ଏମ୍ଓୟୁ ସ୍ବାକ୍ଷର କରାଯାଇଥିଲା। ଜଗତସିଂହପୁରରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ୬୦ହଜାର କୋଟି ଟଙ୍କା ନିବେଶ କରୁଛି। ଏସାର୍ ଗ୍ରୁପ୍ ପାରାଦୀପରେ ୫୨ ହଜାର କୋଟି ଟଙ୍କା ନିବେଶ କରୁଛି। କଟକରେ ଏକ ଇଭି କମ୍ପ୍ଲେକ୍ସ ନିର୍ମାଣ କରିବା ଲାଗି ଜେଏସ୍ଡବ୍ଲୁ ଗ୍ରୁପ୍ ୪୦ହଜାର କୋଟି ଟଙ୍କା ନିବେଶ କରିବ। ରିନିଉ ପାୱାର ପକ୍ଷରୁ ଜଗତସିଂହପୁର, ମାଲକାନଗିରି ଓ ରାୟଗଡ଼ାରେ ୪୫ ହଜାର କୋଟି ଟଙ୍କା ନିବେଶ କରାଯାଉଛି। ଏନଟିପିସି ଲିମିଟେଡ୍ ସୁନ୍ଦରଗଡ଼ରେ ଏକ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ୧୭ହଜାର କୋଟି ନିବେଶ କରୁଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ଅଧୀନରେ ରହିଛି।
କଲ୍ୟାଣୀ ଷ୍ଟିଲ୍ର ୧୧,୭୫୦ କୋଟି ଟଙ୍କାର ଢେଙ୍କାନାଳ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ପର୍ଯ୍ୟାୟରେ ରହିଛି। ଆଭାଡା ଗ୍ରୁପ୍ ଗୋପାଳପୁରରେ ଗ୍ରିନ୍ ଆମୋନିଆ ଓ ସୋଲାର ପାୱାର ପ୍ରକଳ୍ପ ସ୍ଥାପନ କରିବାରେ ୨୩,୫୦୦ କୋଟି ଟଙ୍କା ନିବେଶ କରୁଛି। ୱାରି ଏନର୍ଜିସ୍ ଢେଙ୍କାନାଳରେ ୨୫ହଜାର କୋଟି ଟଙ୍କା ନିବେଶ କରୁଛି। ମନ୍ତ୍ରୀ ଶ୍ରୀ ସ୍ବାଇଁ ଜଣାଇଛନ୍ତି ଯେ ଚଳିତ ବର୍ଷ ଜାନୁଆରିରେ ଭୁବନେଶ୍ବରରେ ଆୟୋଜନ କରାଯାଇଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ରେ ୧୪୫ଟି ଏମ୍ଓୟୁ ସ୍ବାକ୍ଷର ହୋଇଥିଲା। ଏମ୍ସିଏଲ୍ ୪୦ହଜାର କୋଟି ଟଙ୍କା, ଏନ୍ଏଲ୍ସି ଇଣ୍ଡିଆ ୧୮ହଜାର କୋଟି, ନାଲ୍କୋ ୩୫ହଜାର କୋଟି, ଓଡ଼ିଶା ମେଟାଲର୍ଜିକାଲ୍ ଇଣ୍ଡଷ୍ଟ୍ରିଜ୍ ୧୪ହଜାର କୋଟି, ହୋୱେନ ପାଇପର୍ ୧୭ହଜାର କୋଟି ଟଙ୍କାର ନିବେଶ କରିବେ।
ଗତକାଲି ଗୃହରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଥିଲେ ଯେ ଏମ୍ଓୟୁ ଅନୁସାରେ ସ୍ଥାପନ ହୋଇଥିବା ୫ଟି କମ୍ପାନିର କାରଖାନା ଅଚଳ ପଡ଼ିଛି। ୧୧ଟି ସଂସ୍ଥାର କାରଖାନା ଆରମ୍ଭ ହୋଇପାରୁନାହିଁ। ଚାରିଟି କମ୍ପାନି ଏମ୍ଓୟୁ ପ୍ରତ୍ୟାହାର କରିଛନ୍ତି। ସେହି ତାଲିକାରେ ରାଜ୍ୟର ବହୁ ଚର୍ଚ୍ଚିତ ନିବେଶ ଜଗତସିଂହପୁରରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନି ପୋସ୍କୋ ୫୨ ହଜାର କୋଟି ଟଙ୍କାରେ ସ୍ଥାପନ କରିବାକୁ ଥିବା ପ୍ରକଳ୍ପ ଏବଂ ଶିଳ୍ପପତି ଏଲ୍ ଏନ୍ ମିତ୍ତଲଙ୍କ କେନ୍ଦୁଝରରେ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପର ନାଁ ରହିଛି।