ଭୁବନେଶ୍ବର: ଚାଷୀମାନଙ୍କ ଆୟ ବଢ଼ାଇବା ଲାଗି ମତ୍ସ୍ୟଚାଷ ଓ ଦୁଗ୍ଧ ଭଳି ଆନୁଷଙ୍ଗିକ କୃଷି କ୍ଷେତ୍ର ଉପରେ ସରକାର ଗୁରୁତ୍ବାରୋପ କରୁଛନ୍ତି। ଏହି କ୍ଷେତ୍ରକୁ ଅଧିକ ଋଣ ଦେବା ଲାଗି ନିୟମିତ ବ୍ୟବଧାନରେ ବ୍ୟାଙ୍କଗୁଡ଼ିକୁ ମନେ ପକାଇ ଦିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଏହି ଦୁଇ କ୍ଷେତ୍ରକୁ ୭୬୬୪.୭୩ କୋଟି ଟଙ୍କାର ଋଣ ଦେବା ଲାଗି ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ କୁହାଯାଇଛି। ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ବ୍ୟାଙ୍କଗୁଡ଼ିକ ୧୭୨୦.୯୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଅର୍ଥାତ ଏହି କ୍ଷେତ୍ର ଲାଗି ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାର ୨୨.୪୫ ପ୍ରତିଶତକୁ ବ୍ୟାଙ୍କଗୁଡ଼ିକ ହାସଲ କରିଛନ୍ତି।
ଦୁଗ୍ଧ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ନିର୍ଧାରିତ ଲକ୍ଷ୍ୟର ୨୧.୭୬ ପ୍ରତିଶତ ହାସଲ କରିଥିବା ବେଳେ ମତ୍ସ୍ୟଚାଷରେ ୧୧.୦୫ ପ୍ରତିଶତ, କୁକୁଡ଼ା ପାଳନରେ ୧୮.୭୯ ପ୍ରତିଶତ, ଛେଳି, ମେଣ୍ଢା, ଘୁଷୁରି ପାଳନରେ ୩୨.୯୩ ପ୍ରତିଶତ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ୫୮.୯୪ ପ୍ରତିଶତ ଲକ୍ଷ୍ୟକୁ ହାସଲ କରିଛନ୍ତି।
ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ସର୍ବାଧିକ ଅବଦାନ ରହିଛି। ବିଭିନ୍ନ ପ୍ରକାର ପଦକ୍ଷେପ ଓ ରାଜ୍ୟ କୃଷି ନୀତି ଜରିଆରେ ଏହି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨୪,୮୨୯ କୋଟି ଟଙ୍କାର ସ୍ବତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ କରାଯାଇଥିବା ବ୍ୟୟବରାଦ ତୁଳନାରେ ତାହା ୨୦% ଅଧିକ। ୨୦୨୨-୨୩ରେ ରାଜ୍ୟରେ ୧୦.୫୨ ଲକ୍ଷ ଟନ୍ ମାଛ ଉତ୍ପାଦନ ହୋଇଥିଲା ଯାହା ୨୦୧୮-୧୯ର ୭.୫୯ ଲକ୍ଷ ଟନ୍ ତୁଳନାରେ ୪୦ ପ୍ରତିଶତ ଅଧିକ। ରାଜ୍ୟରୁ ବାର୍ଷିକ ୨.୫୫ ଟନ୍ ମାଛ ରପ୍ତାନି କରାଯାଉଛି। ମୁଣ୍ଡପିଛା ମାଛ ବ୍ୟବହାର ବାର୍ଷିକ ୧୭.୭୩ କେଜି ରହିଛି ଯାହା ଜାତୀୟ ହାର ୬.୩୧ କେଜି ତୁନଳାରେ ପ୍ରାୟ ତିନି ଗୁଣା ଅଧିକ।