ନୂଆଦିଲ୍ଲୀ: ସାଇବର୍ ଅପରାଧ ଓ ଅନ୍ଲାଇନ୍ ଠକେଇରେ ବ୍ୟବହୃତ ସିମ୍ କାର୍ଡଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟେଲିକମ୍ କମ୍ପାନିଗୁଡ଼ିକ ଏକସଙ୍ଗେ ୧୮ ଲକ୍ଷରୁ ଅଧିକ ସିମ୍ କାର୍ଡକୁ ବନ୍ଦ କରିବେ। ସାଇବର୍ ଅପରାଧକୁ ରୋକିବା ଲାଗି ସରକାର ଆରମ୍ଭ କରିଥିବା ଅଭିଯାନର ଅଂଶସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯିବ। ଗତବର୍ଷ ଟେଲିକମ୍ କମ୍ପାନିଗୁଡ଼ିକ ୨ ଲକ୍ଷ ସିମ୍ ବନ୍ଦ କରିଥିଲେ। ହରିୟାଣାର ଏକ ଅଞ୍ଚଳରେ ୩୭,୦୦୦ ସିମ୍ ବନ୍ଦ କରାଯାଇଥିଲା।
ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଠକେଇ ଲାଗି ଗୋଟିଏ ଫୋନ୍ରେ ୧୦୦୦ ପର୍ଯ୍ୟନ୍ତ ସିମ୍ ବ୍ୟବହାର କରାଯାଇଛି। ୨୮, ୨୨୦ଟି ମୋବାଇଲ୍ ହାଣ୍ଡ୍ସେଟ୍କୁ ଅଚଳ କରିବା ଏବଂ ୨୦ ଲକ୍ଷ ମୋବାଇଲ୍ ନମ୍ବର ପୁନଃ ଯାଞ୍ଚ କରିବା ଲାଗି ଟେଲିକମ୍ କମ୍ପାନିଗୁଡ଼ିକୁ ଟେଲିକମ୍ ବିଭାଗ ଚଳିତ ମାସ ୯ ତାରିଖରେ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଦେଖାଯାଇଥାଏ ଯେ ଏଭଳି ମାମଲାରେ ମାତ୍ର ୧୦ ପ୍ରତିଶତ ମୋବାଇଲ୍ ନମ୍ବରର ପୁନଃ ଯାଞ୍ଚ ସମ୍ଭବ ହୋଇଥାଏ ଏବଂ ଅବଶିଷ୍ଟ ନମ୍ବରଗୁଡ଼ିକୁ ଅଚଳ କରାଯାଏ। ସେହି ହିସାବରେ ଦେଖିଲେ ୧୮ ଲକ୍ଷ ମୋବାଇଲ୍ ନମ୍ବର ବନ୍ଦ ହେବାକୁ ଯାଉଛି। ପନ୍ଦର ଦିନ ଭିତରେ ପୁନଃ ଯାଞ୍ଚ ଅବଧି ଶେଷ ହେବା ପରେ ସିମ୍ ଅଚଳ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ମୋବାଇଲ୍ ଫୋନ୍ ଜରିଆରେ ହେଉଥିବା ଆର୍ଥିକ ଠକେଇ ବଢ଼ିବା ପରେ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ ଅନୁଯାୟୀ ୨୦୨୩ରେ ଡିଜିଟାଲ୍ ଆର୍ଥିକ ଠକେଇ ପାଇଁ ୧୦,୩୧୯ କୋଟି ଟଙ୍କାର କ୍ଷତି ହୋଇଛି। ଏକ ସଂସଦୀୟ କମିଟିର ରିପୋର୍ଟ ଅନୁସାରେ ୬,୯୪,୦୦୦ ଠକେଇ ସମ୍ପର୍କିତ ଅଭିଯୋଗ ଆସିଛି।
ସାଇବର୍ ଅପରାଧୀମାନେ ପୁଲିସଠାରୁ ବଞ୍ଚିବା ଲାଗି ଗୋଟିଏ ସର୍କଲ୍ର ସିମ୍କୁ ଅନ୍ୟ ସର୍କଲ୍ରେ ନେଇ ବ୍ୟବହାର କରୁଛନ୍ତି। ଉଦାହରଣ ସ୍ବରୂପ ଓଡ଼ିଶାରେ ଜାରି ହୋଇଥିବା ସିମ୍ ଦିଲ୍ଲୀରେ ବ୍ୟବହାର ହେଉଛି। ଗୋଟିଏ ସିମ୍ରୁ କିଛି ଆଉଟ୍ଗୋଇଙ୍ଗ୍ କଲ୍ କରିବା ପରେ ତାହାକୁ ଅପରାଧୀମାନେ ଫୋପାଡ଼ି ଦେଉଛନ୍ତି। ସାଇବର୍ ଅପରାଧରେ ବ୍ୟବହାର ହେଉଥିବା ସିମ୍ଗୁଡ଼ିକୁ ଚିହ୍ନଟ କରିବା ଲାଗି ଟେଲିକମ୍ କମ୍ପାନିଗୁଡ଼ିକୁ ଠକେଇ ଚିହ୍ନଟ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି। ବିଶେଷ କରି ଯେଉଁ ନମ୍ବରରୁ ଦିନତମାମ ଏବଂ ରାତିରେ ଅଲଗା ଅଲଗା ନମ୍ବରକୁ କଲ୍ କରାଯାଉଛି, ସେଗୁଡ଼ିକୁ ଚିହ୍ନଟ କରିବାକୁ ଟେଲିକମ କମ୍ପାନିଗୁଡ଼ିକୁ କୁହାଯାଇଛି।