ଭୁବନେଶ୍ବର: ମୁଣ୍ଡ ଉପରେ ବାହାଘର। ସୁନା ଦର ଶୁଣିଲେ ମୁଣ୍ଡ ବୁଲାଇ ଦେଉଛି। ଏଭଳି ଏକ ସମୟରେ ସୁନା ଦୋକାନୀମାନେ ଘୋଷଣା କରିଥିବା ଲୋଭନୀୟ ଅଫର ଆଜି ଧନ୍ତେରସ୍ରେ ବହୁ ସଂଖ୍ୟାରେ ଗ୍ରାହକଙ୍କୁ ସୋ’ରୁମ୍କୁ ଟାଣି ଆଣିଛି। କେବଳ ଭୁବନେଶ୍ବର ନୁହେଁ ରାଜ୍ୟର ଅନ୍ୟ ପ୍ରମୁଖ ସହର ଯଥା ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ ଆଦିରେ ଥିବା ସୁନା ଦୋକାନଗୁଡ଼ିକରେ ମଧ୍ୟ କାରବାର ବେଶ୍ ଉତ୍ସାହଜନକ ରହିଛି। ଏକ ଆନୁମାନିକ ହିସାବ ଅନୁସାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଧନ୍ତେରସ୍ରେ ୧୫-୨୦ ପ୍ରତିଶତ ଅଧିକ କାରବାର ହୋଇଛି। ଗତବର୍ଷ ଧନ୍ତେରସ୍ରେ ୧୬୦ କୋଟି ଟଙ୍କାର କାରବାର ହୋଇଥିଲା। ଆଜି ଗୋଟିଏ ଦିନରେ ୧୮୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ହୋଇଥିବା ଅନୁମାନ କରାଯାଉଛି। ଆସନ୍ତାକାଲିକୁ ମଧ୍ୟ ଶୁଭବେଳା ଭାବେ ବିଚାର କରାଯାଉଥିବାରୁ ଦୁଇଦିନରେ ସୁନା ବିକ୍ରି ୨୦୦ କୋଟି ଟଙ୍କାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି। କେବଳ ମଙ୍ଗଳବାର ପାଖାପାଖି ଅଢ଼େଇ କ୍ବିଣ୍ଟାଲ ସୁନା ବିକ୍ରି ହୋଇଛି।
ମଙ୍ଗଳବାର କାରବାର ସମ୍ପର୍କରେ ଲାଲ୍ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ ସନ୍ଧ୍ୟା ସମୟରେ ସୋ’ରୁମ୍ଗୁଡ଼ିକରେ ଗ୍ରାହକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି। ଅଧିକାଂଶ ଗ୍ରାହକ ହାଲୁକା ଗହଣା କିଣୁଛନ୍ତି। ସୁନା ଦର ଅଧିକ ରହିଥିବା କାରଣରୁ ଗ୍ରାହକମାନେ ସେଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସେ କହିଛନ୍ତି। ବ୍ୟବସାୟ ହିସାବରେ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ କାରବାର ହୋଇଥିବା ସେ କହିଥିବା ବେଳେ ରାଜ୍ୟର ସମଗ୍ର ଗହଣା ଶିଳ୍ପରେ ଏହି ଧାରା ରହିଥିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଆଜି ଭୁବନେଶ୍ବରରେ ୧୦ ଗ୍ରାମ ପିଛା ସୁନାର ଦାମ୍ ୭୩ ହଜାର ୭୫୦ ଟଙ୍କା ରହିଛି ଯାହା ଗତବର୍ଷ ଧନ୍ତେରସ୍ ଦିନର ୫୬,୦୦୦ ଟଙ୍କା ଦାମ୍ ତୁଳନାରେ ୧୭,୭୫୦ ଟଙ୍କା ଅଧିକ। ଚଢ଼ା ଦାମ୍ ନିଶ୍ଚିତ ରୂପେ ଗ୍ରାହକଙ୍କୁ ପ୍ରଭାବିତ କରିଥିବା ଅନେକ ବ୍ୟବସାୟୀ ସ୍ବୀକାର କରିଛନ୍ତି। କିନ୍ତୁ ଲୋକଙ୍କ କିଣାକିଣି ଉତ୍ସାହଜନ ରହିଥିବା ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ଓଜନ ଅନୁସାରେ ଲୋକମାନେ ପୂର୍ବବର୍ଷଗୁଡ଼ିକ ଭଳି ଯଦିଓ ଭାରି ଅଳଙ୍କାର କମ୍ ନେଇଛନ୍ତି, କିନ୍ତୁ ବିପୁଳ ପରିମାଣରେ ହାଲୁକା ଗହଣା କିଣୁଛନ୍ତି। ସୁନା ଦୋକାନକୁ ଯାଇଥିବା ଗ୍ରାହକମାନେ ଆଜି ହାରାହାରି ଭାବେ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର କିଣାକିଣି କରିଛନ୍ତି। ୧୦ରୁ ୩୦ ଗ୍ରାମ ଓଜନର ହାର, ୨-୫ ଗ୍ରାମ ଓଜନର ମୁଦି, ୧୫ରୁ ୩୦ ଗ୍ରାମ ପର୍ଯ୍ୟନ୍ତର ଚେନ୍ ଅଧିକ ବିକ୍ରି ହୋଇଛି।
ହାଲୁକା ଗହଣା ଅଧିକ ପସନ୍ଦ
ହାର, ଚେନ୍, କାନଫୁଲ, ମୁଦି ଅଧିକ ବିକ୍ରି
ହୀରା ଗହଣା ବିକ୍ରିରେ ୪୦% ବୃଦ୍ଧି
କେବଳ ସୁନା ନୁହେଁ, ଏଥର ଧନ୍ତେରସ୍ର ଅନ୍ୟତମ ବ୍ୟତିକ୍ରମ ହେଉଛି ହୀରା ଗହଣାରେ ବିକ୍ରି ହୋଇଥିବା ଉଲ୍ଲେଖନୀୟ ବୃଦ୍ଧି। ଗତବର୍ଷ ତୁଳନାରେ ହୀରା ଗହଣା ବିକ୍ରି ୪୦ ପ୍ରତିଶତ ଅଧିକ ରହିଛି। ଏହା ପଛର କାରଣ ସମ୍ପର୍କରେ ଜଣେ ବ୍ୟବସାୟୀ କହିଛନ୍ତି ଯେ ଗୋଟିଏ ଓଜନିଆ ସୁନା ହାର କିଣିବା ତୁଳନାରେ ହୀରା ହାର ନେବା ଶସ୍ତା। ତେଣୁ ଲୋକମାନେ ହୀରା ଉପରେ ଆଖି ପକାଇଛନ୍ତି। ହୀରାକୁ ଆଭିଜାତ୍ୟର ଏକ ପ୍ରତୀକ ଭାବେ ବିଚାର କରାଯାଉଥିବାରୁ, ତାହା ମଧ୍ୟ ବିକ୍ରି ବୃଦ୍ଧିର ଅନ୍ୟତମ କାରଣ ହୋଇଥାଇପାରେ ବୋଲି ସେ କହିଛନ୍ତି। ସୁନା କଏନ୍, ବାର୍, ରୁପା ସାମଗ୍ରୀର ବିକ୍ରି ମଧ୍ୟ ବଢ଼ିଛି। କିନ୍ତୁ ପ୍ଲାଟିନମ୍ ବିକ୍ରି ହ୍ରାସ ପାଇଛି।
ତନିସ୍କର ସର୍କଲ୍ ମ୍ୟାନେଜର ଅରିନ୍ଦମ ପରମାଣିକ କହିଛନ୍ତି ଯେ ସୋ’ରୁମ୍ରେ ଗ୍ରାହକଙ୍କ ଭିଡ଼ ରହିଛି। ବିବାହ କାର୍ଯ୍ୟକୁ ଦୃଷ୍ଟିରେ ରଖି ଗ୍ରାହକମାନେ ଚେନ୍, ମୁଦି, କାନଫୁଲ ଓ ଅନ୍ୟାନ୍ୟ ଜିନିଷ କିଣୁଛନ୍ତି। ହୀରା ଗହଣା ପ୍ରତି ମଧ୍ୟ ଗ୍ରାହକଙ୍କ ଥିବା ଆଗ୍ରହ ଦେଖିବାକୁ ମିଳିଛି। ସେହି ସମୟରେ, କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ ଦାମ୍ ଅଧିକ ଥିବା କାରଣରୁ ରକ୍ଷଣଶୀଳ ମନୋଭାବ ରଖିଥିବା ଗ୍ରାହକମାନେ ଶଗୁନ୍ ମୁଦ୍ରା କିଣିଛନ୍ତି। ଯୁବବର୍ଗର ଗ୍ରାହକମାନେ ହାଲୁକା ଓ ୧୮ କ୍ୟାରେଟ୍ ସୁନାର ଗହଣା କିଣିଛନ୍ତି। ଦେଶରେ ଶ୍ରାଦ୍ଧ ଋତୁ ଚାଲିଥିବାରୁ ଲୋକମାନେ କିଣାକିଣି କରିପାରିନଥିଲେ। ଏବେ ସେମାନେ ଅଫରର ଲାଭ ନେବା ଲାଗି କିଣାକିଣି କରୁଛନ୍ତି। ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ ଶୁଭବେଳା ଥିବାରୁ ବିକ୍ରିର ଏହି ଧାରା ଜାରି ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଚଳିତ ବର୍ଷ ଧନ୍ତେରସ୍ ଓ ଦୀପାବଳିକୁ ଦୃଷ୍ଟିରେ ରଖି ୭-୮ଟି ବଡ଼ ସୋ’ରୁମ୍ ରାଜଧାନୀରେ ଖୋଲିଛି। ଫଳରେ ବ୍ୟବସାୟରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଇଛି। ପୂର୍ବରୁ ଦୂର ସ୍ଥାନରେ ଥିବା ସୋ’ରୁମ୍କୁ ଯାଇ କିଣାକିଣି କରୁଥିବା ଗ୍ରାହକମାନେ ନିଜ ପାଖାପାଖି ଦୋକାନରୁ ସୁନା ଓ ଅନ୍ୟାନ୍ୟ ଜିନିଷ କିଣିଛନ୍ତି। ସେଥିପାଇଁ ଦୋକାନରେ ପ୍ରବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟା ସାମାନ୍ୟ ପ୍ରଭାବିତ ହୋଇଥାଇପାରେ ବୋଲି ଅନ୍ୟ ଜଣେ ବ୍ୟବସାୟୀ କହିଛନ୍ତି।